
ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାର ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ମହାକୁଡ଼ଙ୍କ ବିୟୋଗରେ ରାଉରକେଲା ଇଂଞ୍ଜିନିୟର୍ସ ଆସୋସିଏସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ମହାକୁଡ଼ ସମ୍ବଲପୁରରେ ରହୁଥିଲେ ମଧ୍ୟ ରାଉରକେଲାର ବିକାଶ ପ୍ରତି ତାଙ୍କର ଆନ୍ତରିକତା ତଥା ଉଦ୍ୟମ ରହିଥିବାରୁ ସହରବାସୀ ନିକଟରେ ସେ ସ୍ମରଣୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି । ପଶ୍ଚିମ ଓଡିଶାର ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଭଳି ତିନି ଗୁରୁତ୍ୱପୂର୍ଣ୍ଣ ସହରରେ ବିଭିନ୍ନ ଅନୁଷ୍ଠାନ ସ୍ଥାପନରେ ତାଙ୍କର ଉଦ୍ୟମ ରହିଛି । ଏଥିରେ ଝାରସୁଗୁଡା ବିମାନବନ୍ଦର, ସମ୍ବଲପୁରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଭୂମିକା ରହିଛି । ସେହିପରି ରାଉରକେଲାରେ ଏକ ସ୍ୱତନ୍ତ୍ର ରେଳବାଇ ଡିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ପଡ଼ି ରହିଥିବା ଯୁକ୍ତିଯୁକ୍ତ ଦାବି ସମ୍ପର୍କରେ ଏହା ଏକ ଦୃଢ଼ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି । ରାଉରକେଲା ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଏବଂ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ଏକ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯାହା ବ୍ୟାପକ ଖଣି, ଇସ୍ପାତ ଏବଂ ମାଲ୍ ପରିବହନ କାର୍ଯ୍ୟକ୍ଷମତା ପାଇଁ ସହାୟକ ହେବା ସହ ଭାରତୀୟ ରେଳବାଇର ରାଜସ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି ସେ ଉଲ୍ଲେଖ କରିଥିଲେ । ସମ୍ବଲପୁର–ଝାରସୁଗୁଡ଼ା–ସୁନ୍ଦରଗଡ଼–ରାଉରକେଲା କରିଡର (ପ୍ରାୟ ୧୮୮ କିମି)କୁ ୬–୮ ଲେନ୍ ବିଶିଷ୍ଟ(ଜାତୀୟ ରାଜପଥ) ଏକ୍ସପ୍ରେସ ୱେ ଭାବେ ବିକଶିତ କରିବା ନିମନ୍ତେ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି । ଏହାବାଦ ରାଉରକେଲାରେ ଅନ୍ତର୍ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ, ସରକାରୀ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା, ତାଳଚେର ବିମଳଗଡ଼ ରେଳପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ରାଉରକେଲା ଇସ୍ପାତ କାରଖାନା ଉତ୍ପାଦନକୁ ୯ ଏମ୍ଟି ବୃଦ୍ଧି କରିବା ଆଦି ଦାବି ଉପସ୍ଥାପନ କରିବାରେ ତାଙ୍କ ଭୂମିକା ରହିଛି । ତାଙ୍କ ବିୟୋଗରେ ରାଉରକେଲାବାସୀଙ୍କ ଅପୂରଣୀୟ କ୍ଷତି ଘଟିଛି ବୋଲି ସଂଘ ପକ୍ଷରୁ ବିମଳ କୁମାର ବିଶି, ଫକୀର ଚରଣ ମହାନ୍ତି, ଭାରତ ଭୂଷଣ ମହାନ୍ତି ଓ ନଳିନୀକାନ୍ତ ଧର ପ୍ରମୁଖ ପ୍ରକାଶ କରିଛନ୍ତି ।