ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ସର୍ବପୁରାତନ ଲିଟେରାରୀ ଓ ସୋସିଆଲ କ୍ଲବର ପୁନଃ ସ୍ଥାପନ ଏବଂ ସଂରକ୍ଷଣ ପାଇଁ ସେଠିକାର ଜର୍ଜ ଲାଇବ୍ରେରୀର ପୁନରୁଦ୍ଧାର ଏବଂ ସଂରକ୍ଷଣ ହେବ । ଏଥିପାଇଁ ଗତକାଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨କୋଟି ୨୬ଲକ୍ଷ ସଂଶୋଧିତ ଅନୁଦାନକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ଦୀର୍ଘଦିନରୁ ଇନଟାକ୍ ବଲାଙ୍ଗିର ଚାପ୍ଟର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରଥମେ ଇନଟାକ ବଲାଙ୍ଗିର ଚାପ୍ଟର ସଭାପତି ଓ ସଭ୍ୟମାନଙ୍କ ଆଲୋଚନା ପରେ ଏକ ପ୍ରାଥମିକ ପ୍ରକଳ୍ପ ଇନଟାକ୍ ଓଡ଼ିଶାକୁ ପଠାଯାଇଥିଲା । ଏହାପରେ ଇନଟାକ୍ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ମଲ୍ଲିକା ମିତ୍ର ଓ ତାଙ୍କ ବୈଷୟିକ ଟିମ ବଲାଙ୍ଗିର ଆସି କ୍ଲବର ଅନୁଧ୍ୟାନ କରି ଏକଲ ଡିପିଆର୍ ପ୍ରସ୍ତୁତ କରିଥିଲେ । ଯାହା ଇନଟାକ୍ ବଲାଙ୍ଗିର ଚାପ୍ଟର ତରଫରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ପଠାଯାଇଥିଲା । ଏହାର ଏକ ନକଲ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ସୁପାରିଶ ତଥା ସହଯୋଗ ପାଇଁ ପ୍ରଦାନ କରାଯାଇଥିଲା । ପୁଣି ଇନଟାକ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ମିତ୍ର ପ୍ରକଳ୍ପର ସ୍ୱିକୃତି ପାଇଁ ବଲାଙ୍ଗିର ଆସି ଜିଲ୍ଲା ଚାପ୍ଟରର ସଂଯୋଜକ ଡ.ଶିବପ୍ରସାଦ ନନ୍ଦ ଏବଂ ଅନ୍ୟ ସଦସ୍ୟମାନଙ୍କ ସହ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏହାର ପରିବର୍ଦ୍ଧିତ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ପିପିଟି ଉପସ୍ଥାପନା ପରବର୍ତ୍ତି ସମୟରେ ପୁଣିଥରେ କରାଯାଇଥିଲା । ଏହି ପ୍ରକଳ୍ପର ପାଇଁ ୨କୋଟି ୨୬ଲକ୍ଷ ଟଙ୍କା ଅନୁମୋଦନ କରିଥିବାରୁ ଇନଟାକ୍ ବଲାଙ୍ଗିର ଚାପ୍ଟରର ଉପଦେଷ୍ଟା ମଧୁସୂଦନ ପତି, ସଂଯୋଜକ ଡ.ଶିବ ପ୍ରସାଦ ନନ୍ଦ, ସହ ସଂଯୋଜକ ଡ. ସନ୍ତୋଷ କୁମାର ରଥ ଏବଂ ସମସ୍ତ ସଦସ୍ୟ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଓଡ଼ିଶା ଚାପ୍ଟର ସଂଯୋଜକ ଅମୀୟ ଭୂଷଣ ତ୍ରିପାଠୀ ଏବଂ ଏଲ ଆଣ୍ଡ ଏସ କ୍ଲବର ସଭାପତି ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପ୍ରକାଶ ଯେ, ଏହି କ୍ଲବର ପୁନରୁଦ୍ଧାର ଏବଂ ସଂରକ୍ଷଣ ପରେ ଜିଲ୍ଲାର ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ତଥା ଜିଲ୍ଲାବାସୀ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଆଦି ସମ୍ପର୍କରେ ସହଜରେ ସୂଚନା ପାଇପାରିବେ ।