
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ପଦ୍ମପୁର ଉପଖଣ୍ଡ ପାଇକମାଲରେ ଶୁକ୍ରବାର ସବଡିଭିଜନ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରାରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ବହୁଲୋକ ସାମିଲ ହୋଇ ଜାତୀୟ ପତାକା ପ୍ରତି ସମ୍ମାନ ଜଣାଇଥିଲେ । ପାଇକମାଲ ଏମ୍ଇ ସ୍କୁଲ ଖେଳପଡିଆ ପରିସରରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ପାଇକମାଲ ମୁଖ୍ୟ ଛକ ପର୍ଯ୍ୟନ୍ତ ଯାଇଥିଲା । ହାତରେ ତ୍ରିରଙ୍ଗା ପତାକା ଧରି ଛାତ୍ରଛାତ୍ରୀ ଓ ଅନ୍ୟମାନେ ଶୋଭାଯାତ୍ରାରେ ଯୋଗଦେଇ ଦେଶପ୍ରେମର ଭାବନା ପ୍ରଦର୍ଶନ କରିଥିଲେ । ଶୋଭାଯାତ୍ରା ସମୟରେ ପରିବେଶ ଦେଶଭକ୍ତିମୟ ହୋଇଉଠିଥିଲା । ପାଇକମାଲ ମୁଖ୍ୟଛକ ଠାରେ ବିଡିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପଦ୍ମପୁର ଏଡିଏମ୍ ସରୋଜିନୀ ପ୍ରସନ୍ନ କୁଲ୍ଲୁ, ଉପଜିଲ୍ଲାପାଳ ହେମସାଗର ଭୋଇ ଓ ଏସଡିପିଓ ପାଣ୍ଡବ ଶବର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସରୋଜ ସାମଲ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ ତ୍ରିରଙ୍ଗାର ମର୍ଯ୍ୟାଦା, ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଏବଂ ଦେଶର ଏକତା ଓ ଅଖଣ୍ଡତା ରକ୍ଷାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଯୁବପିଢ଼ି ମଧ୍ୟରେ ଦେଶପ୍ରେମ, ଜାତୀୟତାବୋଧ ଓ ଦାୟିତ୍ୱବୋଧ ସୃଷ୍ଟି କରିବାରେ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କୁହାଯାଇଥିଲା । ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା ।