jayashree

ଜିଲ୍ଲାସ୍ତରୀୟ ୪୧ତମ ଓଷ୍ଟା ଶିଶୁମେଳା ଉଦ୍‌ଯାପିତ

  • “ଶୃଙ୍ଖଳା ହିଁ ଜଣକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇପାରେ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ୪୧ତମ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ ହୋଇଯାଇଛି । ଓଷ୍ଟା ଜିଲ୍ଲା ସଭାପତି ଅବନୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବକୁ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି ପିଲାଙ୍କ ଅନ୍ତର୍ନିହିତ ଶକ୍ତିକୁ ଅଧିକ ବଳ ଦେବାକୁ ହେବ ବୋଲି କହିବା ସହ ପିଲାମାନଙ୍କୁ କେବଳ ଶିକ୍ଷିତ ନୁହେଁ ସେମାନଙ୍କ ମନ, ବୁଦ୍ଧି, ଦୃଷ୍ଟି, ବୃତ୍ତି ଓ ସଂସ୍କାରକୁ ମଧ୍ୟ ସଭ୍ୟ, ଶାଳୀନ, ସମୃଦ୍ଧ ଓ ସୁଖଦାୟୀ କରିବା ଦରକାର ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର ଛାତ୍ର ସମାଜ ଯଦି ଚରିତ୍ର ଗଠନ ପ୍ରତି ଧ୍ୟାନ ଦେବେ ତା’ ହେଲେ ଉପଯୁକ୍ତ ସଙ୍କଟ ଗୁଡିକର ସମାଧାନ ହେବା ସହିତ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥିଭାବେ ଓଷ୍ଟା ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ଓଷ୍ଟା ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ଓଷ୍ଟା ରାଜ୍ୟ ସମ୍ପାଦିକା ରଂଜିତା ମିଶ୍ର, ଓଷ୍ଟା ପୂର୍ବତନ ରାଜ୍ୟ ଇସି ସଭ୍ୟ ଜଳନ୍ଧର ମହାକୁଡ଼, ରାମଗୋପାଳ ହିନ୍ଦୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଳକା ବେହେରା ମଂଚାସୀନ ଥିଲେ । ଓଷ୍ଟା ଜିଲ୍ଲା ସମ୍ପାଦକ କୁଶଧ୍ୱଜ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଆୟୋଜିତ ତର୍କ ପ୍ରତିଯୋଗିତାରେ ବିନ୍ଦିଆ ବେହେରା, ସାଧାରଣ ଜ୍ଞାନରେ ବିସ୍ମୟ ନାରାୟଣ ପ୍ରଧାନୀ, କବିତା ରଚନାରେ ସୋନି ସୁନା, ଚିତ୍ରାଙ୍କନରେ ମୁକେଶ ସାହୁ, କୁଇଜ୍‌ରେ ପ୍ରିୟଙ୍କା ଧରୁଆ, ଏକକ ଅଭିନୟରେ ଇତିଶ୍ରୀ ବାଗ, କଣ୍ଠ ସଂଗୀତରେ ବିନି ମେହେର,ଏକକ ନୃତ୍ୟରେ ଦ୍ରୌପଦୀ ରଣା, ଗଳ୍ପ ଲିଖନରେ ଗୌରୀ ନାଏକ, କବିତା ଆବୃତ୍ତିରେ ଦିବ୍ୟ ଶଙ୍କର ମେହେର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଶିଶୁମେଳାରେ ଯୋଗଦେବେ ବୋଲି ସୂଚନା ପ୍ରଦାନ କରଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦେଇ ଶୃଙ୍ଖଳା ହିଁ ଜଣକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରେ ତେଣୁ ଛାତ୍ର ଜୀବନରେ ଶୃଙ୍ଖଳାର ଆବଶ୍ୟକତା ସର୍ବବାଦୀ ସମ୍ମତ ନିଜ ବକ୍ତବ୍ୟରେ କହିଥିଲେ । ପୂର୍ବତନ ଓଷ୍ଟା ରାଜ୍ୟ ସଭାପତି ପୁରନ୍ଦର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତ୍ୟେକ ଛାତ୍ର ନିଜର ଚରିତ୍ର ଗଠନ ସହିତ ମାନବିକ ମୂଲ୍ୟବୋଧ ଆଣିପାରିଲେ ତଥା ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାମୁହିକ ସ୍ୱାର୍ଥ ସାଧନରେ ବ୍ରତୀ ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ସମୟର ସଦୁପଯୋଗ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲେ । ରାଜ୍ୟ ଉପସଭାପତି ସୁଧୀର ନାଏକ ମଂଚାସୀନ ଥିଲେ । ଉଭୟ ଅଧିବେଶନର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ନାରାୟଣ ମିଶ୍ର ଓ ଅନିଲ ସାହୁ । କାର୍ଯ୍ୟକ୍ରମରେ ଜିଲ୍ଲା ଓଷ୍ଟାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.