jayashree

ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ କୁବେର ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମ ନିବାସୀ ତଥା ପାଇକମାଲ ହାଇସ୍କୁଲର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ କୁବେର ପୁରୋହିତଙ୍କ ବିୟୋଗରେ ଆଜି ପାଇକମାଲ ହାଇସ୍କୁଲ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ୧୭ ତାରଖ ଦିନ ପଦ୍ମପୁର ହସ୍ପିଟାଲରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ବରଗଡ଼, ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଘ ଓ ବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି ଶୋକ ସଭାରେ ପ୍ରଧାନଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ସଙ୍ଘ ସଭାପତି ଅନିଲ କୁମାର କାଳିଆ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ଡୋଲାମଣି ମାହାର, ମହାଦେବ ବେହେରା, କୁସୁମ କୁମାର ରାଓ, ରତନ କୁମାର ଅଗ୍ରୱାଲ, ଶରତ ଚନ୍ଦ୍ର ବଡ଼ପଣ୍ଡା, ଗଜରାଜ ପାତ୍ର, ସହଦେବ ପ୍ରଧାନ, ଦେବେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଦିବଂଗତ ଶିକ୍ଷକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରା ଯାଇଥିଲା । ସଭାରେ ଶିକ୍ଷକମାନେ ସ୍ୱର୍ଗତ ପୁରୋହିତଙ୍କୁ ଜଣେ ଆଦର୍ଶ ଶିକ୍ଷକ, ଉଚ୍ଚକୋଟୀର ସାହିତ୍ୟ ସାଧକ, ସମାଜସେବୀ, ସରଳ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ମନେ ପକାଇଥିଲେ । ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ସ୍ନେହ ଓ ଶିକ୍ଷାଦାନ ପ୍ରତି ନିଷ୍ଠା ସବୁଦିନ ମନେ ରହିବ ବୋଲି କହିଥିଲେ । ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଶେଷରେ ଶିକ୍ଷକ ରଜତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.