
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉପସ୍ଥିତ ହୋଇ ବିଭିନ୍ନ ଅଞ୍ଚଳରୁ ଆସିଥିବା ନାଗରିକମାନଙ୍କ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ । ଆଜିର ଶିବିରରେ ମୋଟ ୯୦ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା; ସେଥିରୁ ୮୫ଟି ବ୍ୟକ୍ତିଗତ ଓ ୫ଟି ସାମୂହିକ/ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଥିଲା । ଏଥିରୁ ୦୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି । ତୁରେକେଲା ବ୍ଲକ ଓ ନିକଟସ୍ଥ ଗ୍ରାମାଞ୍ଚଳରୁ ଆସିଥିବା ଗ୍ରାମବାସୀମାନେ ନିଜର ରାସନ କାର୍ଡ, ଭତ୍ତା, ଜମିଜମା ବିବାଦ, ପାନୀୟ ଜଳ, ବିଦ୍ୟୁତ ସମସ୍ୟା ଓ ଆଇନ-ଶୃଙ୍ଖଳା ସମ୍ବନ୍ଧୀୟ ଅଭିଯୋଗ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗର ଗମ୍ଭୀରତାକୁ ଅନୁଧ୍ୟାନ କରି, ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରି, ନିର୍ଦ୍ଦିଷ୍ଟ ସମୟସୀମାରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୁଗ୍ମ ଶୁଣାଣି ଶିବିରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ପୂର୍ତ୍ତ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ ଓ ଗ୍ରାମ୍ୟ ଯୋଗାଣ ବିଭାଗ ସହିତ ସମସ୍ତ ପ୍ରମୁଖ ବିଭାଗର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।