csstore

ସହୀଦ ସୁମନ୍ତ ପଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ତେନ୍ତୁଳି ଗ୍ରାମରେ ଭାରତୀୟ ସେନାର ସହୀଦ ହେମନ୍ତ ପଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଭେଟେରେନ୍‌ ସୋଲଜର୍ସ ଏସୋସିଏସନ୍‌ର ଉପସଭାପତି ତଥା ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଯୋଗଦାନ କରି ପଞ୍ଚାୟତ ପରିସରରେ ଥିବା ସହୀଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ସହୀଦ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅତିଥି ଭାବରେ ଯୋଗ ଦେଇଥିବା ଗ୍ରାମ ପଞ୍ଚାୟତର ସରପଞ୍ଚ ଡିଗ୍ରୀ ମେହେର, ଅଧ୍ୟାପିକା କଲ୍ୟାଣୀ ମିଶ୍ର, ସଂଘର କୋଷାଧ୍ୟକ୍ଷ ଘାଷିରାମ ବେହେରା ରକ୍ତଦାନ କରି ଯୁବପିଢିଙ୍କୁ ଉତ୍ସାହିତ କରିଥିଲେ । ସହୀଦଙ୍କ ବିଧବା ପତ୍ନୀ ସୌଦାମିନୀ ପଧାନ ଏବଂ ଭାଇ ପ୍ରଶାନ୍ତ ପଧାନ ରକ୍ତଦାନ କରି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗ୍ରାମର ଶତାଧିକ ମହିଳା, ପୁରୁଷ ଏବଂ ଯୁବପିଢି ସହୀଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ‘ଭାରତ ମାତା କି ଜୟ’ର ନାରା ଦେଇଥିଲେ । ସହୀଦଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ରଥଙ୍କ ସହ ସମ୍ମାନିତ ଅତିଥି ଭାବରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଡିଗ୍ରୀ ମେହେର, ଲଛିପୁର ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ କଲ୍ୟାଣୀ ମିଶ୍ର, ସମାଜସେବୀ ରୋଲିନୀ ଦାଶ ମଞ୍ଚାସୀନ ଥିଲେ । ସମସ୍ତେ ସହୀଦଙ୍କ ସ୍ମୃତିଚାରଣ କରିବା ସହ ସହୀଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ରଥ କହିଥିଲେ ଯେ, ଆମର ସଂଘ ସଦା ସର୍ବଦା ସହୀଦ ପରିବାରମାନଙ୍କ ସାଥୀରେ ଅଛି ଏବଂ ଆଗାମୀ ଦିନରେ ମଧ୍ୟ ସହୀଦ ପରିବାର, ସୈନିକ ପରିବାରମାନଙ୍କ ସୁଖ ଦୁଃଖର ସାଥୀ ହୋଇରହିବ । ପଞ୍ଚାୟତ ପରିସରରେ ଥିବା ସହୀଦଙ୍କ ପତିମୂର୍ତ୍ତୀ ଖରା ବର୍ଷାରୁ କେମିତି ରକ୍ଷା ପାଇବ ସେଥିପାଇଁ ସରପଞ୍ଚଙ୍କୁ ଏକ ଛାତ ନିର୍ମାଣ ପାଇଁ ଅନୁରୋଧ କରିଥିଲେ ଏବଂ ଏକ ମାସ ଭିତରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସରପଞ୍ଚ ଶ୍ରୀ ମେହେର ପ୍ରତିଶୃତି ଦେଇଥିଲେ । ରକ୍ତଦାତାମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନେ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ । ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସହସମ୍ପାଦକ କୃଷ୍ଣଚନ୍ଦ୍ର ପରମ୍‌ଗୁରୁ, ସଦସ୍ୟ ଶମ୍ଭୁପ୍ରସାଦ ବିଶ୍ୱାଳ, ପ୍ରମୋଦ ବାବୁ, ରାଜେନ୍ଦ୍ର ଶବର, ମହାଦେବ ଭୋଇ, ଗୋପାଳ ମେହେର, ଅଶୋକ ବିଶ୍ୱାଳ, ସାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପରିବାର ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶେଷରେ ପ୍ରସାନ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.