
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମଙ୍କୁ ସରକାରୀ ସୁବିଧା, ଚିକିତ୍ସା ଓ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ସହଜତା ପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ବ୍ଲକର ୨୧ଟି ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ଶିଶୁ, ମହିଳା ଓ ପୁରୁଷ ଯୋଗଦେଇଥିଲେ । ଶିବିରକୁ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ଏବଂ ସାଂସଦ ପ୍ରତିନିଧି ସନ୍ତୋଷ ଭଇଁସାଲ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତରମାନେ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ । ଏଥିସହ ନିଜ ନିଜ ସମସ୍ୟା ଓ ଅଭିଯୋଗ ନେଇ ଆସିଥିବା ହିତାଧିକାରୀମାନେ ଅନଲାଇନରେ ନାମ ପଞ୍ଜୀକରଣ କରି ଭିନ୍ନକ୍ଷମ ପ୍ରମାଣପତ୍ର ଓ ଚିକିତ୍ସା ସୁବିଧା ପାଇଁ ଆବେଦନ କରିଥିଲେ । ଶିବିରର ସୁଚାରୁ ପରିଚାଳନା ଓ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା ଦିଗରେ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ତତ୍ପରତା ଓ ସମନ୍ୱୟକୁ ଉପସ୍ଥିତ ମହଲରେ ପ୍ରଶଂସା କରାଯାଇଛି । କାର୍ଯ୍ୟକ୍ରମଟିକୁ ବିଏସ୍ଏସ୍ଓ କନିଷ୍କ ବିଭାର ପରିଚାଳନା କରୁଛନ୍ତି । ଭିନ୍ନକ୍ଷମମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ସରକାରୀ ଯୋଜନାର ସୁବିଧା ସେମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏଭଳି ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଉପସ୍ଥିତ ଅଧିକାରୀମାନେ କହିଥିଲେ । ଶିବିରଟି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି ।