pakka

୨୫୧କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ସିନପାଲିରେ ପହଞ୍ଚିଲା ଶକ୍ତି କଳସ 

bbehera

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ହେବାକୁ ଥିବା ବିରଳ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ସୋପାନରେ ବୁଧବାର ଶାନ୍ତିକୁଞ୍ଜ ହରିଦ୍ୱାର ଠାରୁ ପବିତ୍ର ଶକ୍ତି କଳସ ଆସି ପହଞ୍ଚିଛି । କାପସି ଛକଠାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶକ୍ତି କଳସକୁ ଦର୍ଶନ କରିବା ସହ ସ୍ୱାଗତ କରିଥିଲେ । ପରେ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଭଜନ, କୀର୍ତ୍ତନ ଓ ହୁଳହୁଳି ସହ ସିନାପାଲି ନଗର ପରିକ୍ରମା କରାଯାଇ ଶେଷରେ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ଶକ୍ତି କଳସକୁ ସ୍ଥାପିତ କରାଯାଇଛି । ଶୋଭାଯାତ୍ରା ସମୟରେ ସହରର ସ୍ଥାନେ ସ୍ଥାନେ ଶକ୍ତିକଳସକୁ ବନ୍ଦାପନା କରାଯାଇଥିଲା । ସୂଚନାଯୋଗ୍ୟ ଯେ ମହାଯଜ୍ଞ ନିମନ୍ତେ ଶକ୍ତି କଳସ ଆଣିବାକୁ ଗତ ୩୧ ତାରିଖରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ତତ୍ୱାବଧାନରେ ଦୁଇଶହ ଜଣିଆ ଏକ ଶ୍ରଦ୍ଧାଳୁ ଦଳ ଶାନ୍ତିକୁଞ୍ଜ ହରିଦ୍ୱାରକୁ ଯାଇଥିଲେ । ଏହି ଦଳରେ ଗାୟତ୍ରୀ ପରିବାରର ସଦସ୍ୟଙ୍କ ସହ ଅଞ୍ଚଳର ଅନେକ ବୁଦ୍ଧିଜୀବି ସାମିଲ ଥିଲେ । ଏହି ଦଳ ତପୋଭୂମୀ ମଥୁରା, ବୃନ୍ଦାବନ, ଆଁବଳଖେଡ଼ା ଆଦି ପବିତ୍ର ସ୍ଥଳଯାଇ ସେଠାକାର ନିତ୍ୟଯଜ୍ଞ, ଅଗଣ୍ତ ଦୀପ ଦର୍ଶନ, ତର୍ପଣ, ପିଣ୍ତଦାନ, ସଜଳ ଶ୍ରଦ୍ଧା, ପ୍ରଖର ଯଜ୍ଞରେ ଜପ ଧ୍ୟାନ, ଗଙ୍ଗାସ୍ନାନ ଆଦି ପବିତ୍ର ରୀତିନୀତି ପରେ ଶ୍ରଦ୍ଧେୟ ଶୈଳବାଳା ପଣ୍ଡାଙ୍କ କରକମଳରୁ ଶକ୍ତି କଳସ ଗ୍ରହଣ କରିଥିଲେ । ଏଥିସହ ଦେବସଂସ୍କୃତି ବିଶ୍ୱବିଦ୍ୟାଳୟର ଉପକୂଳାଧିପତି ଚିନ୍ମୟ ପଣ୍ଡାଙ୍କ ଠାରୁ ଯଜ୍ଞ ନିମନ୍ତେ ମାର୍ଗଦର୍ଶନ ଲାଭ କରିଥିଲେ । ଶକ୍ତିକଳସକୁ ରାସ୍ତାରେ ଅନେକ ସ୍ଥାନରେ ସ୍ୱାଗତ କରାଯାଇଥିବା ବେଳେ କଣ୍ଟାବାଞ୍ଜି ଓ ଖଡ଼ିଆଳ ଠାରେ ସେଠାକାର ଶ୍ରଦ୍ଧାଳୁଙ୍କ ମାଧ୍ୟମରେ ନଗର ପରିକ୍ରମା କରାଯାଇ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଗତକାଲି ଶକ୍ତି କଳସ ସିନାପାଲି ପହଞ୍ଚିଲା ପରେ ଆସନ୍ତା ଜାନୁୟାରୀରେ ହେବାକୁ ଥିବା ଏହି ମହାଯଜ୍ଞ ନିମନ୍ତେ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

jay balangir
Leave A Reply

Your email address will not be published.

one × 5 =