ପେଟ ପାଇଁ ଯାଇଥିଲେ ଆନ୍ଧ୍ରପ୍ରଦେଶ, ଫେରିଲେ ଶବ ହୋଇ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କୋଟାମାଲ ଗ୍ରାମର ଭକ୍ତଚରଣ ଧାକଡ ନିଜ ପରିବାର ଭରଣପୋଷଣ ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଶ୍ରମିକ ହୋଇ ବିଜୟୱାଡା ସହରକୁ ଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ବିଜୟୱାଡା ସହରର ଅଳ୍ପ କିଛି ଦୂରରେ ଥିବା ଏକ ଘରୋଇ କମ୍ପାନୀରେ ଭକ୍ତଚରଣ କାମ କରିବାକୁ ନିଜ ଅଞ୍ଚଳର ସାଂଗମାନଙ୍କ ସହିତ ଯାଇଥିଲେ । ସେଠାରେ କାମ କରୁଥିବା ସମୟରେ ଭକ୍ତଚରଣ ହଠାତ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମୃତ୍ୟୁ ଖବର ପ୍ରସାରଣ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଉକ୍ତ ମୃତ ଶରୀରକୁ ବ୍ୟବଚ୍ଛେଦ କରି ନିଜ ଗ୍ରାମ କୋଟାମାଲକୁ ପଠାଇବା ପାଇଁ କମ୍ପାନୀର ମାଲିକ ପରିବାର ଲୋକଙ୍କୁ କହିଛନ୍ତି । ନିଜ ପରିବାରର ଭରଣପୋଷଣ ପାଇଁ ହଜାର ହଜାର ଶ୍ରମିକ ଆନ୍ଧ୍ରପ୍ରଦେଶକୁ ଯାଉଛନ୍ତି । ହେଲେ ଶେଷରେ ଶବ ହୋଇ ଫେରୁଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

6 − 1 =