ଦୀର୍ଘ ଦେଢ଼ ବର୍ଷ ପରେ କନ୍ଧମାଳର ସାଇନ୍ସ ପାର୍କ ଖୋଲିଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ବନ୍ଦ ଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସାଇନ୍ସ ପାର୍କ ଖୋଲିଲା । ସନ୍ଧ୍ୟାରେ ଆୟୋଜିତ ପୁନଃ ଖୋଲିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥୀ ଭାବେ ଆଇନଜୀବୀ ବିଜୟ କୁମାର ପଟ୍ଟନାୟକ, ସ୍ଵେଚ୍ଛାସେବୀ ସଂଗଠନ ସ୍ଵାତିର ସମ୍ପାଦକ ଇଂ. ହରିଶଙ୍କର ରାଉତ, ବୈଦ୍ୟ ନାଥ ଖଟୁଆ ପ୍ରମୁଖ ଭାବେ ଯୋଗ ଦେଇଥିଲେ । ସାଇନ୍ସ ପାର୍କ କେବେ ଖୋଲିବ ବୋଲି ଲୋକେ ଆଗ୍ରହର ସହ ଅନାଇ ରହିଥିଲେ । ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରିକତା ଯୋଗୁଁ ବନ୍ଦ ଥିବା ପାର୍କ ଖୋଲି ପାରିଛି । କରୋନା ପାଇଁ ଏତେ ଦିନ ଧରି ବନ୍ଦ ରହିଥିବା ଫଳରେ ରକ୍ଷଣା ବେକ୍ଷଣ ଅଭାବରୁ ପାର୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ନିଜେ ଉପସ୍ଥିତ ରହି ପାର୍କର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇଥିବା ସ୍ଵାତି ଏନଜିଓକୁ ନିର୍ଦେଶ ଦେଇ ସଫାସୁତୁରା କରାଇଥିଲେ । ସ୍ଥାନୀୟ ଜନସାଧାରଣ ପାର୍କ ଖୋଲିବା ଜାଣିବା ପରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ଏହି ସାଇନ୍ସ ପାର୍କଟି ବିଶେଷ କରି ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣରେ ସହାୟକ ହୋଇ ପାରୁଛି ।

Leave A Reply

Your email address will not be published.

2 + 7 =