ଗାଁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ ବିରୋଧ କରି ରାସ୍ତା ଅବରୋଧ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତର କାପଶିଭଟା ଗାଁର ବିଦ୍ୟାଳୟକୁ ନିକଟସ୍ଥ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସେବତିପଡ଼ାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ରାସ୍ତା ଅବରୋଧ କରିଥିଲେ । କାପଶିଭଟା ଗ୍ରାମରୁ ସେବତିପଡ଼ା ଗ୍ରାମ ପ୍ରାୟ ଦୁଇ କିଲୋମିଟର ଦୂର ହେବା । ପାଖ ଅଞ୍ଚଳରେ ମଦ ଭାଟି ଅଛି ଓ ସେହି ରାସ୍ତା ଦେଇ ଅନେକ ଟ୍ରାକ୍ଟର ପ୍ରତିଦିନ ଯିବା ଆସିବା କରେ । କାପଶିଭଟା ଗ୍ରାମ ବିଦ୍ୟାଳୟରେ ଅନେକ ବିକଳାଙ୍ଗ ଛାତ୍ରଛାତ୍ରୀ ଓ ରୋଗୀ ଶିଶୁ ମଧ୍ୟ ପାଠ ପଢିବାକୁ ଯାଆନ୍ତି । ଏହିପରି ପରିସ୍ଥିତିରେ ଅଭିଭାବକ ନିଜ ଶିଶୁମାନଙ୍କୁ ବିପଦଶଙ୍କୁଳ ରାସ୍ତାରେ ପ୍ରାୟ ଚାରି କିଲୋମିଟର ଯିବା ଆସିବା କରିବା ପାଇଁ ଛାଡି ପାରିବୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । କପଶିଭଟା ବିଦ୍ୟାଳୟରେ ବର୍ତ୍ତମାନ ୨୯ ଜଣ ଶିକ୍ଷାର୍ଥୀ ପଢୁଥିବା ବେଳେ ଆଗକୁ ଆହୁରି ୩୦ ଜଣ ଶିକ୍ଷାର୍ଥୀ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସରକାର ରାଜ୍ୟର ସମସ୍ତ ଶିଶୁକୁ ଶିକ୍ଷା ଗ୍ରହଣ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଦୁବଡ଼ିବି ପିଟୁଥିବା ବେଳେ ଏହିପରି ଶିଶୁମାନଙ୍କ ବିରୋଧୀ କାର୍ୟ୍ୟ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଗରିବ ସେନା ସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଗ୍ରାମବାସୀ ଆଜି କାପଶିଭଟା ଓ ସେର୍କୋ ଛକରେ ଧାରଣରେ ବସି ସରକାରଙ୍କ ନୀତି ବିରୋଧରେ ଧାରଣା ଦେଇଥିଲେ । ଶ୍ରୀ ବାଗ କହିଛନ୍ତି କୋମଳମତି ଶିଶୁମାନେ ଘର ଦୁଆରେ ଭଲ ଭାବରେ ଚାଲି ଜାଣିନାହାନ୍ତି । ସେହିପରି ଶିଶୁକୁ ପ୍ରାୟ ଦୁଇ କିଲୋମିଟର ଦୂରକୁ ଶିକ୍ଷା ପାଇଁ ପଠାଇବା କେତେ ଯୁକ୍ତିଯୁକ୍ତ ? ଦାବୀ ପୂରଣ ନ ହେଲେ ଆଗକୁ ଗ୍ରାମବାସୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାଇ ଦେଇଛନ୍ତି।

Leave A Reply

Your email address will not be published.