ଭୁବନେଶ୍ୱର : ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଆଜିଠାରୁ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଜନତା । ଆସନ୍ତାକାଲି (ରବିବାର) ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ । ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ । ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି । ପ୍ରଥମ ଦିନରେ ଆଜି ପ୍ରାୟ ୨୫୦୦ ଲୋକ ରାଜଭବନ ଉଦ୍ୟାନ ବୁଲିଥିବା ସୂଚନା ମିଳିଛି । ଏହି ଉଦ୍ୟାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଲୋକେ ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ । ଦର୍ଶକମାନେ ବିନା କୌଣସି ପ୍ରବେଶ ଶୁଳ୍କରେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ । ରାଜଭବନ ଉଦ୍ୟାନ ବୁଲିବା ପାଇଁ କେବଳ ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ । ଏଥି ପାଇଁ ଦର୍ଶକଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ Rajbhaban garden vist apps ଡାଉନ୍ଲୋଡ କରିବାକୁ ପଡ଼ିବ । ଗୋଟିଏ ମୋବାଇଲ ନମ୍ବରରେ ସର୍ବାଧିକ ୮ ଜଣଙ୍କର ନାମ (୪ ଜଣ ବୟସ୍କ ଓ ଅନ୍ୟ ୪ ଜଣଙ୍କର ବୟସ ୧ରୁ ୧୮ ବର୍ଷ) ପଂଜୀକରଣ କରାଯାଇପାରିବ । ଛୁଟି ଦିନ ସହ ରବିବାର ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ । ଏଥିଲାଗି ଅପରାହ୍ନ ୩: ୩୦ରୁ ୫.୩୦ଟା ପର୍ଯ୍ୟନ୍ତ ସମୟ ରହିଛି । ଭ୍ରମଣ ସମୟରେ ବନ୍ଧୁକ, ଅସ୍ତ୍ରଶସ୍ତ୍ର, କ୍ୟାମେରା, ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ ରହିଛି । ଆସନ୍ତା ୧୩ ତାରିଖଠାରୁ ଏକାମ୍ର କାନନରେ ଦୁଇ ଦିନିଆ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜିତ ହେବ । ଏହି ପ୍ରଦର୍ଶନୀରେ ଦର୍ଶକମାନେ ବିଭିନ୍ନ ପ୍ରକାର ଫୁଲ ଦେଖିବାକୁ ସୁଯୋଗ ପାଇପାରିବେ । ୨୦୦୬ ମସିହାରୁ ପ୍ରତିବର୍ଷ ଏକାମ୍ର କାନନ ପରିସରରେ ଆର୍ପିଆର୍ସି ରାଜ୍ୟସ୍ତରୀୟ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜନ କରିଆସୁଛି ।
Next Post