jayashree

ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର ? ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗସ୍ତରେ ଥିବା ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳ ବଲାଙ୍ଗିର ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ସାକ୍ଷାତ କରି ବଲାଙ୍ଗିର ଜିଲ୍ଲାର ଉଚ୍ଚଶିକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଦାବି ନେଇ ଦାବିପତ୍ର ପ୍ରଦାନ କରିଛି । ତେବେ ଏହି ଦାବିଗୁଡ଼ିକ ଉପରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସାମ୍ବାଦିକଙ୍କୁ ଦିଆଯାଇଥିବା ବିବୃତ୍ତି ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ବଲାଙ୍ଗିର ସଭାପତି ସୁମନ ନନ୍ଦ । ସୁମନ ନନ୍ଦ କହିଛନ୍ତି ଯେ, ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା କଥା ସମସ୍ତଙ୍କୁ ଜଣା । ଶିକ୍ଷକ ପଦବୀ ପୂରଣ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ କେବଳ ଶିକ୍ଷକ ପଦବୀ ପୂରଣ କରିଦେଲେ କ’ଣ ବିଶ୍ୱବିଦ୍ୟାଳୟ ଚାଲିପାରିବ ? ବିଶ୍ୱବିଦ୍ୟାଳୟର ସୂଚାରୁ ପରିଚାଳନା ପାଇଁ ଅଣଶିକ୍ଷକ କର୍ମଚାରୀ, ଜମି, ଆବଶ୍ୟକ ଅନୁଦାନ, ଭିତ୍ତିଭୂମି ବିକାଶ, ଲାଇବ୍ରେରୀ, ଅଡିଟୋରିୟମ୍ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଆବଶ୍ୟକତା ରହିଛି । ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାମ୍ବାଦିକ ବନ୍ଧୁମାନଙ୍କ ପ୍ରଶ୍ନର ସ୍ପଷ୍ଟ ଉତ୍ତର ନଦେଇ ମନ୍ତ୍ରୀ ହରବର ତରବର ଭାବେ ଚାଲିଯିବା ବଲାଙ୍ଗିରର ଛାତ୍ରଛାତ୍ରୀଙ୍କୁ ନିରାଶ କରିଛି । “ବଲାଙ୍ଗିରର ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବା ସରକାରଙ୍କ ଦାୟିତ୍ୱ । ଶିକ୍ଷକ ପଦବୀ ପୂରଣକୁ ନେଇ ସରକାର କେବଳ ନିଜ ସଫଳତାର କଥା କହିବେ, କିନ୍ତୁ ଅଣଶିକ୍ଷକ ପଦବୀ, ଅନୁଦାନ ଓ ଭିତ୍ତିଭୂମି ବିଷୟରେ ନୀରବ ରହିବେ – ଏହା ବଲାଙ୍ଗିର ପ୍ରତି ବୈମାତୃକ ମନୋଭାବର ପ୍ରମାଣ, “ଆମେ ଦୟା ନୁହେଁ, ଛାତ୍ରଛାତ୍ରୀଙ୍କ ଅଧିକାର ଦାବି କରୁଛୁ । ବଲାଙ୍ଗିରର ଉଚ୍ଚଶିକ୍ଷାକୁ ଅବହେଳା କରିବା ବନ୍ଦ କରି ସରକାର ତୁରନ୍ତ ସ୍ପଷ୍ଟ ରୋଡମ୍ୟାପ୍ ଦିଅନ୍ତୁ,” ବୋଲି ସୁମନ ନନ୍ଦ ଦାବି କରିଛନ୍ତି । ଏହି ସମସ୍ୟା ଗୁଡ଼ିକର ସମାଧାନ ଦାବିରେ ଆଗାମୀ ଦିନରେ ବଲାଙ୍ଗିରର ସମସ୍ତ କ୍ୟାମ୍ପସରେ ଦସ୍ତଖତ ଅଭିଯାନ କରାଯିବ ବୋଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହିତ ବଲାଙ୍ଗିରର ବିଶ୍ୱବିଦ୍ୟାଳୟ ଓ ସରକାରୀ କଲେଜ ଗୁଡ଼ିକର ବିକାଶ ପାଇଁ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇ ଗଣତାନ୍ତ୍ରିକ ଉପାୟରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୁମନ ନନ୍ଦ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.