ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନ ପ୍ରଚାର : ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ ବୋଲି କହିଛନ୍ତି ସମରେନ୍ଦ୍ର । ଏକ ଜନ ମଙ୍ଗଳ ରାଷ୍ଟ୍ରରେ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର, ତାର କର୍ତ୍ତବ୍ୟ ହେଲା ସ୍କୁଲରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର, ଯୁବକଙ୍କୁ ରୋଜଗାର ନିଶ୍ଚିତ କରିବା ଦରକାର । କିନ୍ତୁ ଦୁଃଖର କଥା ରାଜ୍ୟରେ ବିଜେଡି ଦୀର୍ଘ ୨୪ ବର୍ଷ ଓ କେନ୍ଦ୍ରରେ ବିଜେପି ୧୦ ବର୍ଷର ଶାସନରେ ଶିକ୍ଷକ, ଡାକ୍ତର ଓ ରୋଜଗାରର ମରୁଡି ଦେଖାଯାଇଛି । ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିକ୍ଷା କ୍ଷେତ୍ରରେ ଦରକାର ଶିକ୍ଷକ, ଚିକିତ୍ସା ପାଇଁ ଡାକ୍ତର ଓ ଯୁବକଙ୍କୁ ରୋଜଗାର ଦେବାରେ ଉଭୟ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଆଜି ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଦେଷଣ୍ଡ, ବ୍ରାହ୍ମଣୀଜୋର ଓ ବନ୍ଧପଡା ଠାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗିର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ନିର୍ବାଚନୀ ସଭାରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ରାଜ୍ୟ ସରକାର ପାଇଁ ୨୪ ବର୍ଷ ଗୋଟେ ବହୁତ ବଡ ସମୟ । ସାମାଜିକ ସୁରକ୍ଷା ଅନ୍ତର୍ଗତ ଭତ୍ତା ହେଉ କି ଗରିବଙ୍କ ପାଇଁ ପକ୍କା ଘର ହେଉ, ଏ ସମସ୍ତ ସୁବିଧା ସମସ୍ତ ହିତାଧିକାରୀ ଏହି ସମୟ ଭିତରେ ପାଇଯିବା ଦରକାର । କିନ୍ତୁ ଦୁଃଖର କଥା, ସରକାର ତ’ ନିଶ୍ଚିତ ଭାବେ ନିର୍ବାଚନ ସର୍ବସ୍ୱ ଯୋଜନାରେ ଲୋକଙ୍କୁ ଭୁଆଁ ବୁଲାଉଛି । ଏହି ସମୟ ଭିତରେ ସରକାରରେ ରହି ସମସ୍ତ କ୍ଷମତା ଅକ୍ତିଆର କରିଥିବା ରାଜ ପରିବାର କେବଳ ବିଧାୟକ ଓ ସାଂସଦ ପାଣ୍ଠିରେ ବଲାଙ୍ଗିରର ବିକାଶକୁ ସୀମିତ କରି ରଖିଥିଲେ । ତେଣୁ ଆଗାମୀ ନିର୍ବାଚନରେ ଏମାନଙ୍କୁ ପୁଣିଥରେ ଲୋକେ ବରଖାସ୍ତ କରିବେ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ ଉଭୟଙ୍କୁ ହାତ ଚି଼ହ୍ନରେ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ସମରେନ୍ଦ୍ର ମିଶ୍ର କହିଥିଲେ । ବ୍ଲକ୍‌ କଂଗ୍ରେସ ସଭାପତି ରାମଜୀ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଗତ ୧୦ ବର୍ଷରେ ବଲାଙ୍ଗିରରେ ତାଙ୍କ ବିକାଶମୂଳକ କାର୍ଯ୍ୟ ଓ ଲୋକ ସମ୍ପର୍କକୁ ଲୋକେ ଠିକ୍ ଭାବରେ ତର୍ଜମା କରନ୍ତୁ ଏବଂ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଂଗ୍ରେସ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । କଂଗ୍ରେସର ଗ୍ୟାରେଣ୍ଟି କାର୍ଡରେ ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଥିବା ବ୍ୟବସ୍ଥା ଉପରେ ସମବେତ ଜନତାଙ୍କୁ ଅବଗତ କରାଇଥିଲେ । ଆଜି ଅନୁଷ୍ଠିତ ଏହି ନିର୍ବାଚନୀ ସଭାମାନଙ୍କରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଠେଶ୍ଵର ପଧାନ, ଦେଷଣ୍ଡ ସମିତି ସଭ୍ୟ ରୁଦନା ଧରୁଆ, ସ୍ୱୟମ୍ବର ମେହେର, କଳାକାର ବେହେରା, ନିତ୍ୟାନନ୍ଦ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

10 − 9 =

error: Content is protected !!