ଅଭାବ ଓ ଦାରିଦ୍ର୍ୟ ଭିତରେ ପଙ୍କରେ ଫୁଟିଛି ପଦ୍ମ : ଦଶମ ଶ୍ରେଣୀ ଛାତ୍ର ପିୟୁଷ ବରିହାଙ୍କ ସଫଳତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରତିକୂଳ ପରିସ୍ଥିତି ଯେ, ପଙ୍କରେ ପଦ୍ମର ସମ୍ଭାବନା ସୃଷ୍ଟି କରିପାରେ ତାହା କେବଳ ଆଜି ନୁହେଁ ଇତିହାସରୁ ହିଁ ପ୍ରମାଣ ମିଳେ । ଅଦମ୍ୟ ସାହସ, ଅହରହ ଉଦ୍ୟମ, ଅକ୍ଲାନ୍ତ ପରିଶ୍ରମ, ଅବିରତ ସଂଘର୍ଷ କେବଳ ଦାରିଦ୍ର୍ୟର ବେଢ଼ି ଭାଙ୍ଗି ସମସ୍ତ ଘାତ ପ୍ରତିଘାତକୁ ପଛରେ ପକାଇ ସ୍ୱପ୍ନ ସାକାରରେ ସହାୟ ହୁଏ । ତାହା ପୁଣିଥରେ ଆଜି ପ୍ରମାଣ କରିଛନ୍ତି ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଗ୍ରାମର ପିୟୁଷ ବରିହା । ଖପ୍ରାଖୋଲ ତଳିପଡ଼ା ନିବାସୀ କଳାପିକ ବରିହା ଏବଂ ମାଁ’ ଟୁନି ବେହେରାଙ୍କ ପୁତ୍ର ପିୟୁଷ । ଗତ ମଙ୍ଗଳବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷା ଫଳ ଘୋଷିତ ହୋଇଥିଲା । ଉକ୍ତ ପରୀକ୍ଷାରେ ୪୪୭(୮୯.୪%) ମାର୍କ ରଖି ସମସ୍ତ ଛାତ୍ରଙ୍କ ମଧ୍ୟରେ ପ୍ରଥମ ସ୍ଥାନ ପାଇବାର ସଫଳତା ହାସଲ କରି ନିଜ ବାପା ମାଁ ଏବଂ ସ୍କୁଲ ପାଇଁ ଗୌରବ ଆଣିଛନ୍ତି ପିୟୁଷ । ପିୟୁଷଙ୍କ ପରିବାରରେ ୪ ଜଣ । ବାପା ଗତ କିଛି ବର୍ଷ ହେଲା ରୋଗଗ୍ରସ୍ତ ହୋଇ ଘରେ ବସିରହି ଥିବାବେଳେ ମାଁ’ ଜଣେ ଅଙ୍ଗନୱାଡି କର୍ମୀ ଭାବେ ଖପ୍ରାଖୋଲରେ କାର୍ଯ୍ୟରତ ଅଛନ୍ତି । ସାନ ଭଉଣୀ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ । ମାଁ’ଙ୍କ ସ୍ନେହ ଆଦର ଓ ଯତ୍ନରେ ଛୋଟରୁ ବଡ ହୋଇଥିବା ବେଳେ ଆଜି ମାଁ’ଙ୍କ ଆଜୀବନର କଷ୍ଟକୁ ଏକ ପ୍ରକାରର ଲାଘବ କରିବାରେ ସକ୍ଷମ ହୋଇଛନ୍ତି ପିୟୁଷ । ଭବିଷ୍ୟତରେ ଭାରତୀୟ ସେନାରେ ଗୋଟିଏ ବଡ ପଦବୀରେ ରହି ନିସ୍ଵାର୍ଥ ଭାବରେ ଦେଶର ସେବା କରିବି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପିୟୁଷ ନିଜ ସଫଳତାର ସମସ୍ତ ଶ୍ରେୟ ବାପା ମାଁ’ଙ୍କ ପ୍ରେରଣା ଏବଂ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ତେବେ ବଣମଲ୍ଲୀ ବଣରେ ଫୁଟି ଝଡିଯିବା ପୂର୍ବରୁ ତା’ର ସୁଗନ୍ଧ କେବଳ ବଣରେ ସୀମିତ ନରହି ଏହାର ମହକରେ ସମାଜକୁ ମହକାଇବା ନିମନ୍ତେ ଏକ ପ୍ରକୃଷ୍ଟ ମାଧ୍ୟମର ନିହାତି ଆବଶ୍ୟକତା ରହିଥାଏ, ଏଥିରେ ଦ୍ୱିମତ ନାହିଁ । ଏଣୁ ପିୟୁଷଙ୍କ ଆଗାମୀ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ସବୁ ପୂରଣ ଦିଗରେ ଦାରିଦ୍ର୍ୟ ଏକ ଆହ୍ୱାନ ହୋଇ ଯେପରି ଠିଆ ନ ହେଉ ସେ ଦିଗରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି । ଏହା ସହ ପିୟୁଷ ଭଳି ଏକ ପ୍ରତିଭା ଆଗାମୀ ଦିନରେ ଅନ୍ୟ ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇପାରିବ ବୋଲି ସମାଜସେବୀମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ ପିୟୁଷଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.