jayashree

ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଲୋକସଭାରେ ନିୟମ- ୩୭୭ ଅଧୀନରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଦାବି ଉଠାଇଛନ୍ତି । ସାଂସଦ ଶ୍ରୀ ପୁରୋହିତ ସଦନରେ କହିଥିଲେ ଯେ, ୧୯ ଜାନୁଆରୀ ୧୯୨୬ରେ ଜନ୍ମଗ୍ରହଣ କରିଥିବା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ୨୦୨୬ରେ ପୂରଣ ହୋଇଛି। ଅଳ୍ପ ବୟସରୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପ୍ରେରିତ ହୋଇ ସେ ‘ଭାରତ ଛାଡ଼ ଆନ୍ଦୋଳନ’ରେ ସକ୍ରିୟ ଭାଗ ନେଇଥିଲେ, କାରାବାସ ଭୋଗ କରିଥିଲେ ଏବଂ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିଲେ। ତାଙ୍କର ସାହସ, ତ୍ୟାଗ ଓ ନେତୃତ୍ୱ ଆଜି ମଧ୍ୟ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ସ୍ୱାଧୀନତା ପରେ ପାର୍ବତୀ ଗିରି ନିଜ ଜୀବନକୁ ସମାଜସେବା, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅସହାୟ ଶିଶୁମାନଙ୍କ କଲ୍ୟାଣ ପାଇଁ ସମର୍ପିତ କରିଥିଲେ। ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ “ମନ କି ବାତ୍” କାର୍ଯ୍ୟକ୍ରମରେ ତାଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ କରିଥିଲେ । ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ମଧ୍ୟ ଜାତୀୟ ସ୍ତରରେ ତାଙ୍କୁ ଯଥେଷ୍ଟ ପରିଚୟ ମିଳିନଥିବା ଉଲ୍ଲେଖ କରି ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ଦାବି କରିଛନ୍ତି ଯେ, ପାର୍ବତୀ ଗିରିଙ୍କ ଜୀବନ ଉପରେ ଆଧାରିତ “ବଡ଼ମା” ନାମରେ ଏକ ଜାତୀୟ ଜୀବନୀଚିତ୍ର (ବାୟୋପିକ୍) ପ୍ରଦର୍ଶନ କରାଯାଉ ଏବଂ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ନାମରେ ସ୍ମାରକ ଡାକ ଟିକଟ ପ୍ରକାଶ କରାଯାଉ । ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବା ସହିତ ଯୁବପିଢ଼ୀଙ୍କୁ ରାଷ୍ଟ୍ରସେବା, ତ୍ୟାଗ ଓ ସମର୍ପଣର ପ୍ରେରଣା ଯୋଗାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.