
କଟକ : ଦୀପାବଳିକୁ ଆଉ ମାତ୍ର ସପ୍ତାହେ ବାକି। ପର୍ବକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି କଟକ ସହରର ବିଭିନ୍ନ ବଜାର। ରଙ୍ଗବେରଙ୍ଗର ଦୀପ, ଆକର୍ଷଣୀୟ କ୍ୟାଣ୍ଡେଲ୍, ମୁରୁଜ ଓ ଆଧୁନିକ ସାଜସଜ୍ଜା ଲାଇଟ୍ରେ ଭରିଯାଇଛି ଦୋକାନ। ଚୌଧୁରୀ ବଜାରଠାରୁ ବକ୍ସିବଜାର ପର୍ଯ୍ୟନ୍ତ ସବୁଠି ଗ୍ରାହକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି । ଚଳିତବର୍ଷ ବଜାରରେ କୋଲକାତା, ମହାରାଷ୍ଟ୍ର ଓ ଗୁଜରାଟରୁ ଆସିଥିବା ଡିଜାଇନର ଦୀପ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରୁଛି। ବିଭିନ୍ନ ଆକାର ଓ ରଙ୍ଗର ମେସିନ୍ ନିର୍ମିତ ଦୀପ ସହ ଫ୍ଲୋଟିଂ କ୍ୟାଣ୍ଡେଲ୍ର ଚାହିଦା ଅଧିକ ରହିଛି। ସେହିପରି ରାୟପୁରରୁ ଆସୁଥିବା ୧୫ରୁ ୨୦ ପ୍ରକାର ରଙ୍ଗର ମୁରୁଜ ମଧ୍ୟ ଗ୍ରାହକଙ୍କ ପସନ୍ଦ ପାଲଟିଛି। ଅନ୍ୟପଟେ ବକ୍ସିବଜାର ମଣିସାହୁ ଛକରେ ଥିବା ୩୦ରୁ ଅଧିକ ଦୋକାନରେ ବିଭିନ୍ନ ପ୍ରକାର ଆଲୋକମାଳାର ପସରା ମେଲିଛି। ଦିଲ୍ଲୀ ଓ ମୁମ୍ବାଇରୁ ଆସିଥିବା ୱାଟରପ୍ରୁଫ୍ ଏଲ୍ଇଡି, ରୋପ୍ ଲାଇଟ୍, ନିଅନ୍ ଲାଇଟ୍, କ୍ରିଷ୍ଟାଲ୍ ଲାଇଟ୍ ଓ ଲେଜର ଲାଇଟ୍ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ୩୦ ଫୁଟ୍ ଲମ୍ବର ଏଲ୍ଇଡି ଲାଇଟ୍ ୬୦ ଟଙ୍କାରୁ ଆରମ୍ଭ କରି ୨୫ ମିଟର ରୋପ୍ ଲାଇଟ୍ ୫୦୦ ଟଙ୍କାରେ ବିକ୍ରି ହେଉଛି। ଏହାବ୍ୟତୀତ ବିଭିନ୍ନ ଡିଜାଇନ୍ର ଝୁମର, ମୁଭିଂ ଲାଇଟ୍ ଓ କର୍ଟେନ୍ ଲାଇଟ୍ ମଧ୍ୟ ବଜାରର ଆକର୍ଷଣ ପାଲଟିଛି। ତେବେ ଆଧୁନିକ ଓ ମେସିନ୍ ତିଆରି ଦୀପର ବଢ଼ୁଥିବା ଚାହିଦା ମଧ୍ୟରେ ସଙ୍କଟରେ ପଡ଼ିଛି କଟକର ପାରମ୍ପରିକ କୁମ୍ଭକାର ବୃତ୍ତି। ଦିନେ ବିଡ଼ାନାସୀ କୁମ୍ଭାରସାହିରେ ୨୫୦ରୁ ଅଧିକ ପରିବାର ମାଟିଦୀପ ତିଆରି କରି ଜୀବିକା ନିର୍ବାହ କରୁଥିଲେ। ହଜାର ହଜାର ଦୀପ ତିଆରି କରି ସହର ସମେତ ଆଖପାଖ ଅଞ୍ଚଳକୁ ଯୋଗାଉଥିଲେ। କିନ୍ତୁ ଏବେ ମାତ୍ର ୬ରୁ ୭ ଜଣ କାରିଗର ଏହି କାମରେ ନିୟୋଜିତ ଅଛନ୍ତି। କାରିଗରଙ୍କ କହିବା ଅନୁଯାୟୀ, ବାହାର ରାଜ୍ୟରୁ ଆସୁଥିବା ଆକର୍ଷଣୀୟ ମେସିନ୍ ତିଆରି ଦୀପ ସହ ପ୍ରତିଯୋଗିତା କରିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ଆବଶ୍ୟକ ଯନ୍ତ୍ରପାତିର ଅଭାବ ଓ ମାଟି ସମେତ କଞ୍ଚାମାଲର ଦରବୃଦ୍ଧି ସମସ୍ୟାକୁ ଆହୁରି ବଢ଼ାଇଛି। ଫଳରେ ଅନେକ କାରିଗର ନିଜର ପାରମ୍ପରିକ ବୃତ୍ତି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। କାରିଗର ନରେନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା ଓ କେତକୀ ବେହେରା ପାରମ୍ପରିକ କୁମ୍ଭକାର ବୃତ୍ତିର ସୁରକ୍ଷା ପାଇଁ ସରକାରୀ ସହାୟତା, ଆଧୁନିକ ଯନ୍ତ୍ରପାତି ଓ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ଏପଟେ ଦୀପାବଳିକୁ ନେଇ ବଜାରରେ ଆଧୁନିକ ସାଜସଜ୍ଜା ସାମଗ୍ରୀର ଚାହିଦା ବଢ଼ୁଥିବାବେଳେ, ସେପଟେ ନିଜ ପାରମ୍ପରିକ କଳା ଓ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛନ୍ତି କୁମ୍ଭକାର ପରିବାର।