
ବରଗଡ଼, (ମୁନ୍ନା ସାହୁ ) : ପରିବେଶ ସୁରକ୍ଷା ଓ ସବୁଜ ବରଗଡ଼ ଗଠନର ଲକ୍ଷ୍ୟ ନେଇ ବରଗଡ଼ ବ୍ରାହ୍ମଣ ୟୁଥ୍ ଫେଡେରେସନ୍ ପକ୍ଷରୁ ନାୟକପଡ଼ା ଦୁର୍ଗା ମଣ୍ଡପଠାରେ ଏକ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ଚାରା ସମ୍ପୂର୍ଣ୍ଣ ମାଗଣାରେ ବଣ୍ଟନ କରାଯାଉଛି । ପରିବେଶପ୍ରେମୀ ଓ ଆଗ୍ରହୀ ବ୍ୟକ୍ତିମାନେ ନିଜ ପସନ୍ଦର ଚାରା ନେଇ ନିଜ ଘର, ବଗିଚା କିମ୍ବା ଆଖପାଖରେ ରୋପଣ କରିପାରିବେ । ଏହାସହ ବ୍ରାହ୍ମଣ ୟୁଥ୍ ଫେଡେରେସନ୍ର ସଦସ୍ୟମାନେ ସହରର ବିଭିନ୍ନ ଦୋକାନ ଏବଂ ଘରେ ଘରେ ପହଞ୍ଚି ମଧ୍ୟ ଚାରା ବଣ୍ଟନ କରିଛନ୍ତି ଓ “ଜଣେ ଜଣେ ଗୋଟିଏ ଗଛ ଲଗାନ୍ତୁ, ପରିବେଶକୁ ସୁରକ୍ଷିତ ରଖନ୍ତୁ” ବୋଲି ସଚେତନତା ସୃଷ୍ଟି କରିଛନ୍ତି । ବ୍ରାହ୍ମଣ ୟୁଥ୍ ଫେଡେରେସନ୍ ପକ୍ଷରୁ ସମସ୍ତଙ୍କୁ ନାୟକପଡ଼ା ଦୁର୍ଗା ମଣ୍ଡପକୁ ଆସି ନିଜ ପସନ୍ଦର ଚାରା ସଂଗ୍ରହ କରି ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଜଣାଯାଇଛି ।