
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସାରା ଦେଶରେ ଗର୍ବ ଓ ଗୌରବର ସହ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ଏହି ଅବସରରେ ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ ମଧ୍ୟ ଶହୀଦ ଯବାନମାନଙ୍କୁ ସ୍ମରଣ କରି କାରଗିଲ ବିଜୟ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ କାରଗିଲ ଯୁଦ୍ଧରେ ଭାରତୀୟ ସେନାଙ୍କ ଅଦମ୍ୟ ସାହସ ଓ ବୀରତ୍ୱକୁ ସ୍ମରଣ କରିବା ସହ ବୀର ସହିଦମାନଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବତନ ସୈନିକ ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ, ସମ୍ପାଦକ ପ୍ରତାପ ଚନ୍ଦ୍ର ରଥଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।