
ବଲାଙ୍ଗିର, (କେପିଏନ୍ଏସ୍) : ମାହେଶ୍ୱରୀ ସଙ୍ଗଠନ, ବଲାଙ୍ଗିର ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକର ସଭାପତି, ସଂଯୋଜକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ରବିବାର ସ୍ଥାନୀୟ ବେବି ବବଲ୍ସ ପ୍ଲେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଗଠନର ଗତ କିଛି ମାସର କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହ ସଙ୍ଗଠନର କାର୍ଯ୍ୟକୁ ଅଧିକ ସୁଦୃଢ଼, ସକ୍ରିୟ ଓ ଜନମୁଖୀ କରିବା ପାଇଁ ବ୍ୟାପକ ଆଲୋଚନା ହୋଇଥିଲା । ସମସ୍ତ ବ୍ଲକ ମଧ୍ୟରେ ଉତ୍ତମ ସମନ୍ୱୟ, ନିୟମିତ କାର୍ଯ୍ୟକ୍ରମ ଆୟୋଜନ ଏବଂ ସଙ୍ଗଠନର ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆଗାମୀ ପାଞ୍ଚ ମାସ ପାଇଁ ପ୍ରତ୍ୟେକ ବ୍ଲକର କାର୍ଯ୍ୟଯୋଜନା ଚୂଡ଼ାନ୍ତ କରାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକରେ ରକ୍ତଦାନ ଶିବିର ଆୟୋଜନକୁ ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ସ୍ୱାସ୍ଥ୍ୟ ସଚେତନତା, ଯୁବ ନେତୃତ୍ୱ ବିକାଶ, ସାମାଜିକ ସେବା କାର୍ଯ୍ୟକ୍ରମ ଏବଂ ଜନସଚେତନତା ଅଭିଯାନକୁ ପ୍ରତ୍ୟେକ ବ୍ଲକରେ ନିୟମିତ ଭାବେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସଙ୍ଗଠନର ପଦାଧିକାରୀମାନେ କହିଥିଲେ ଯେ, “ସେବା ଆମର ସଂକଳ୍ପ, ସମାଜ ଆମର ପରିବାର” ଏହି ମୂଳମନ୍ତ୍ରକୁ ଆଧାର କରି ମାହେଶ୍ୱରୀ ସଙ୍ଗଠନ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅଧିକ ବ୍ୟାପକ ଭାବେ ସମାଜସେବା କାର୍ଯ୍ୟକ୍ରମ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବ । ବୈଠକ ଶେଷରେ ସମସ୍ତ ପଦାଧିକାରୀ ସଙ୍ଗଠନର ଆଦର୍ଶ, ଶୃଙ୍ଖଳା ଓ ସମାଜସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁର୍ନବ୍ୟକ୍ତ କରିଥିଲେ । ସଙ୍ଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ କହିଥିଲେ ଯୁବବର୍ଗ ହିଁ ଆମର ଭବିଷ୍ୟତ, ସମାଜ କଲ୍ୟାଣ କରିବା ପାଇଁ ଆମେ ଯେତେ ବି କାର୍ଯ୍ୟକ୍ରମ ହାତକୁ ନେବୁ ନୂଆପିଢ଼ିକୁ ନେତୃତ୍ୱ ଦିଆଯିବ କାହିଁକି ନା ସମାଜକୁ ଦରକାର ନୂଆ ଅନୁଗାମୀ ନୁହେଁ, ନୂଆ ନେତୃତ୍ୱ ସୃଷ୍ଟି କରୁଥିବା ଯୁବଶକ୍ତି । ସଙ୍ଗଠନର ସଭାପତି ଶୋଭନ ଅଗ୍ରୱାଲ, ବଲାଙ୍ଗିର ସଦର, ଆଗଲପୁର, ତରଭା, ପୁଇଁତଲା, କୁଡ଼ାସିଂହା, ଖପ୍ରାଖୋଲ, ଦେଓଗାଁ ବ୍ଲକରୁ ଆସିଥିବା ସଭାପତି ଏବଂ ସଂଯୋଜକ ବୈଠକକୁ ସଫଳ କରିବାରେ ସହଯୋଗ କରିଥିଲେ ।