jayashree

ଅଜଣା ବୃଦ୍ଧ ଭିକ୍ଷୁକଙ୍କ ଶେଷକୃତ୍ୟ ସାରି ମାନବିକତାର ପରିଚୟ ଦେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନ ଥିବା ଯାଏଁ ତାଙ୍କର କେହି ନ ଥିଲେ, ଦୁଆର ଦୁଆର ବୁଲି ଭିକ୍ଷା ମାଗିବା ହିଁ ଥିଲା ତାଙ୍କ ନିଇତି ଦିନର କାହାଣୀ । କିନ୍ତୁ ମୃତ୍ୟୁ ପରେ ସେ ଅନାଥ ହୋଇ ରହିଗଲେ ନାହିଁ । ଜଣେ ଅସହାୟ, ପରିଚୟହୀନ ବୃଦ୍ଧ ଭିକ୍ଷୁକଙ୍କ ମୃତ୍ୟୁ ପରେ ତାଙ୍କୁ ଆତ୍ମୀୟର ମର୍ଯ୍ୟାଦା ଦେଇ ସସମ୍ମାନେ ଅନ୍ତିମ ସଂସ୍କାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ​ମୁରିବାହାଲ ବ୍ଲକ ଅଞ୍ଚଳରେ ଉକ୍ତ ବୃଦ୍ଧ ଜଣକ ଘର ଘର ବୁଲି ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିଲେ । କିଛି ଦିନ ତଳେ ସେ ଅସୁସ୍ଥ ହୋଇ ପଡ଼ି ରହିଥିବା ବେଳେ ମୁରିବାହାଲ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ପୋଲିସ ତାଙ୍କୁ ପ୍ରଥମେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ​ପୋଲିସ ପ୍ରଶାସନ ତାଙ୍କ ପରିଚୟ ଖୋଜିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ପରିବାର କିମ୍ବା ଆତ୍ମୀୟ ସ୍ୱଜନଙ୍କ ସନ୍ଧାନ ମିଳି ନ ଥିଲା । ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦ ପରେ ୭୨ ଘଣ୍ଟା କାଳ ଶବକୁ ସଂରକ୍ଷଣ ଗୃହରେ ରଖାଯାଇଥିଲା । କୌଣସି ପରିଚୟ ନ ମିଳିବାରୁ ପୋଲିସ ଶେଷରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସହିତ ଯୋଗାଯୋଗ କରିଥିଲା । ​ସଂଗଠନର ସଦସ୍ୟମାନେ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଗ୍ରହଣ କରିଥିଲେ । ସ୍ୱର୍ଗ ରଥ ଯୋଗେ ମୃତଦେହକୁ ବିଭୂତିପଡ଼ା ଶ୍ମଶାନକୁ ଅଣାଯାଇଥିଲା । ସେଠାରେ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ​ଏହି ଶବ ସଂସ୍କାରରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଉତ୍ତମ ନନ୍ଦ, ସୁମିତ୍ ମିଶ୍ର, ରବୀନ୍ଦ୍ର ପ୍ରଧାନ, ସରୋଜ ଜାଲ, ସାଗର ଚନ୍ଦନ, ଅଂଶୁମାନ ମିଶ୍ର ଓ ରାକେଶ ବହିଦାର ପ୍ରମୁଖ ଉପସ୍ଥିତ ରହି ସେବା ମନୋଭାବର ଜ୍ୱଳନ୍ତ ଉଦାହରଣ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.