
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ଷେତ୍ରିୟ ସହ ସଂଗଠନ ବୈଲୋଚନ ସାହୁ, ରାଜ୍ୟ ସଭାପତି ଡ. ସଞ୍ଜିବ ନାଏକ, ରାଜ୍ୟ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ, ପ୍ରାନ୍ତ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ବୈଠକରେ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରୁ ୨୦୦ରୁ ଅଧିକ ଛାତ୍ରନେତା ଯୋଗ ଦେଇଥିଲେ । ବୈଠକରେ ରାଜ୍ୟର ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ଆଲୋଚନା ସହ ବିଭିନ୍ନ ପ୍ରସ୍ତାବ ପାରିତ ହୋଇଥିବା ଏବିଭିପି ପକ୍ଷରୁ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସହ ସମ୍ପାଦକ ଆକାଶ କମ୍ପ ରାଜ୍ୟ ସରକାରଙ୍କୁ ତୁରନ୍ତ ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା କରିବାକୁ ଦାବି କରିଛନ୍ତି । ଦୀର୍ଘ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ପାଇଁ ସଂଗଠନ ଦାବି କରିଆସୁଥିବା ସେ କହିଛନ୍ତି । ଏହା ସହ ରାଜ୍ୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, ଅତିଥି ଅଧ୍ୟାପକ ବ୍ୟବସ୍ଥା ପରିବର୍ତ୍ତେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, SAMS ପ୍ରବେଶ ପ୍ରକ୍ରିୟାର ସରଳୀକରଣ ଏବଂ ପରୀକ୍ଷା ପରେ ଶୀଘ୍ର ଫଳ ପ୍ରକାଶ ପାଇଁ ଦାବି ହୋଇଛି । କଲେଜଗୁଡ଼ିକରେ ଅଣ-ରାଜନୈତିକ ଶିକ୍ଷାବିତ୍ଙ୍କୁ ନେଇ ଗଭର୍ଣ୍ଣିଂ ବଡି ଗଠନ ସହ କଲେଜ ଜମିକୁ ତୁରନ୍ତ କଲେଜ ନାମରେ ରେକର୍ଡ କରିବାକୁ ମଧ୍ୟ ଏବିଭିପି ଦାବି କରିଛି । ଦାବିଗୁଡ଼ିକ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସମ୍ମିଳନୀରେ ଆକାଶ କମ୍ପଙ୍କ ସହ ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି, ଜିଲ୍ଲା ଛାତ୍ରୀ ପ୍ରମୁଖ ଅଙ୍କିତା ଶତପଥି ଓ ଝରଣା ବାଗ ଉପସ୍ଥିତ ଥିଲେ ।