pakka

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ବଲାଙ୍ଗିରର ବିକାଶରେ ବାଧକ ସାଜୁଛନ୍ତି ସ୍ଥାନୀୟ ସରକାରୀ ଦଳ ରାଜନେତା

bbehera
  • ୪ ହଜାର କୋଟିର ଜମି ଦୁର୍ନୀତିରେ ଉବୁଟୁବୁ ରାଜ ପରିବାର – ନରସିଂହ
  • ଭୂମିହୀନଙ୍କୁ ଜମି ଓ ଘର ଶୀଘ୍ର ଯୋଗାଉ ଜିଲ୍ଲା ପ୍ରଶାସନ – ନରସିଂହ
  • ଧାନମଣ୍ଡିରେ ମିଲର୍ସଙ୍କ ଉପସ୍ଥିତି ବେଆଇନ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଣୀ ସାଗର, ଲକ୍ଷ୍ମୀଜୋର, ଟ୍ରକ ଟର୍ମିନାଲ, ରିଂ ରୋଡ, ବାଏପାସ୍‌ ଓ ଗନ୍ଧ୍ରେଲ ଡ୍ୟାମ ସୌନ୍ଦର୍ଯ୍ୟକରଣ ଭଳି ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଆସି ପଡି ରହିଥିଲେ ହେଁ କେତେ ପ୍ରକଳ୍ପ ଆରମ୍ଭ ହୋଇ ନାହିଁ, ଯାହା କିଛି ଆରମ୍ଭ ହୋଇଛି ସେଥିରେ ସ୍ଥାନୀୟ ବିଜେଡି ରାଜନେତାମାନଙ୍କ ଚକ୍ରନ୍ତ ତଥା ଷଡଯନ୍ତ୍ର ଯୋଗୁଁ ତାହା ମଧ୍ୟ ମନ୍ଥର ଗତିରେ ଚାଲିଛି । ଯେଉଁ ରାଜ ପରିବାର ପୁର୍ବରୁ ଏଠାରେ ମନ୍ତ୍ରୀ, ବିଧାୟକ । ସାଂସଦ ଥିଲେ, ୨୦୧୪ ପରବର୍ତ୍ତୀ ବଲାଙ୍ଗିର ବିକାଶ ଦେଖି ସେମାନେ ସହ୍ୟ କରି ପାରୁ ନାହାନ୍ତି । ଯଦି ବଲାଙ୍ଗିରର ଆହୁରି ବିକାଶ ହୁଏ ତେବେ, କାଳେ ଲୋକେ ତାଙ୍କୁ ଘୃଣା କରିବେ ତାହା ଭାବି ସେମାନେ ବର୍ତ୍ତମାନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଟ ଓଗାଳୁଛନ୍ତି । ଏଭଳି ବିକାଶ ବିରୋଧି ନେତାଙ୍କୁ ବଲାଙ୍ଗିରବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ଆଜି ସ୍ଥାନୀୟ ସର୍କିଟହାଉସ୍‌ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ରାଜ୍ୟ ସରକାର ଅନୁମୋଦନ କରୁଛି । କିନ୍ତୁ ବଲାଙ୍ଗିରରେ ବିଜେଡି ରାଜନେତାମାନେ ସେହି ପ୍ରକଳ୍ପ ଗୁଡିକୁ ବିରୋଧ କରିବା ଦୁର୍ଭାଗ୍ୟଜନକ । ଯେତେବେଳେ ବିଧାନସଭାରେ ଜମି ଜବରଦଖଲ ବିଲ୍‌ ଆସିଲା ଏବଂ କୌଣସି ବ୍ୟକ୍ତି ସରକାରୀ ଜମି ଜବରଦଖଲ କରିଥଲେ, ଜବରଦଖଲକାରୀଙ୍କୁ ୭ ବର୍ଷ ଜେଲ ସହିତ ଜରିମାନା ଦଣ୍ଡର ବ୍ୟବସ୍ଥା କରାଯାଇଥିଲା । ସେହି ବିଲ୍‌କୁ ବିଧାନସଭାରେ କେବଳ ବଲାଙ୍ଗିର ବିଧାୟକ ହିଁ ବିରୋଧ କରିବା ସହ ସେଥିରେ ଜେଲ ଜରିମାନାରୁ ଭୂମିହୀନ ଗରିବଙ୍କୁ ବାଦ୍‌ ଦେବା ପାଇଁ ଦାବୀ କରିଥିଲେ । ସେ ସୂଚେଇ ଥିଲେ ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ଅଛି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଲୋକଙ୍କ ବଞ୍ଚିବାର ଅଧିକାର ରହିଛି ଏବଂ ବଞ୍ଚିବା ପାଇଁ ରୋଜଗାର ଆବଶ୍ୟକ । ଏହି ମର୍ମରେ କିଛି ଲୋକ ଗାଁରୁ ଆସି ସହରରେ ଜବରଦଖଲରେ ରହି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ସେଭଳି ଭୂମିହୀନ, ବାସହୀନ ଗରିବମାନଙ୍କ ପାଇଁ ଏହି ବିଲ୍‌ରେ ସଂଶୋଧନ ଅଣାଯାଉ ଏବଂ ସେମାନଙ୍କୁ ବିନା ମୂଲ୍ୟରେ ଘର ଓ ଜମି ଯୋଗାଇ ଦିଆଯାଉ ବୋଲି ଏକା ବଲାଙ୍ଗିର ବିଧାୟକ ହିଁ ଦାବୀ କରିଥିଲେ । ଯେଉଁଥିରେ କି ତତ୍‌କାଳୀନ ରାଜସ୍ୱ ମନ୍ତ୍ରୀ ତଥା କିଛି ବିଜେଡି ବିଧାୟକ ମଧ୍ୟ ଏଥିରେ ରାଜି ହୋଇଥିଲେ ଓ ଏହି ବିଲ୍‌କୁ ସଂଶୋଧନ କରା ଯାଇଥିଲା । କିନ୍ତୁ ରାତା ରାତି ତୃତୀୟ ମାହଲା ଚାପରେ ସରକାର ସଂଶୋଧନକୁ ଫେରାଇ ନେଇ ଯାଇଥିଲେ । ସେ ସମୟରେ ବଲାଙ୍ଗିରର ଏହି ପୂର୍ବତନ ମନ୍ତ୍ରୀ ନେତାମାନେ କ’ଣ କରୁଥିଲେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ବିଜେଡି ତରଫରୁ କିଛି ଦିନ ପୂର୍ବରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀର ପ୍ରସଙ୍ଗ ଉପରେ ହୋଇଥିବା ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ, ବଲାଙ୍ଗିର ରାଜ ପରିବାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ୪ ହଜାର କୋଟି ଟଙ୍କାର ଜମି ଦୁର୍ନୀତିରେ ରାଜ ପରିବାର ଲିପ୍ତ ଅଛନ୍ତି । ଏହି ଜମି ଦୁର୍ନୀତିକୁ ନେଇ ପିଏସି ତଦନ୍ତ ଆରମ୍ଭ କରି ସାରିଛି । ଆଗରୁ ଅନେକ ଅଭିଯୋଗ ଥିଲେ ହେଁ ରାଜ୍ୟର ବିଜେଡି ସରକାର ଏମାନଙ୍କ ବିରୋଧରେ ପଦକ୍ଷେପ ନେଉ ନାହିଁ । କିନ୍ତୁ ପିଏସି ତାଙ୍କ ଦଳର ନୁହେଁ । ଠିକ ତଦନ୍ତ ହେଲେ ଏମାନଙ୍କ ଜମି ଦୁର୍ନୀତି ବିରୁଦ୍ଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହା ସହ ସେ ଏହି କେଳେଙ୍କାରୀରେ ରାଜ ପରିବାର ତରଫରୁ ବହୁ ପୂର୍ବରୁ ଦାଖଲ ହୋଇଥିବା ଜମି ନଥିପତ୍ର ବଲାଙ୍ଗିର ତହସିଲରୁ ତତ୍‌କାଳୀନ ତହସିଲଦାରଙ୍କୁ ଏକ କୋଟି ଟଙ୍କା ଲାଞ୍ଚ ଦେଇ ଏସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଚୋରି କରାଯାଇଥିବା ଶୁଣା ଯାଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ସହର ମଧ୍ୟରେ ଚାରିଶହ ଏକର ଜମି ଘରବାରି ହେବା ରାଜ ପରିବାରର ଜମି କେଳେଙ୍କାରିକୁ ସ୍ୱତଃ ପ୍ରମାଣିତ କରୁଛି । ସାମ୍ବାଦିକ ସମ୍ମିଳନୀରେ ଧାନ କିଣା ଅବ୍ୟବସ୍ଥାର ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର, ସରକାରୀ ଆଇନ ଅନୁଯାୟୀ ମଣ୍ଡରେ ମିଲ୍‌ ମାଲିକ କଦାପି ରହି ପାରିବ ନାହିଁ ବୋଲି କହିଥିଲେ । ବିନା କଟନି ଛଟନିରେ ଧାନ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ ୨୦୪୦ ଟଙ୍କା ଦିଆଯାଉ । ତା’ସହ ସେ ଦାବୀ କରିଥିଲେ ଯେ, ସ୍ୱାମୀନାଥନ କମିଟି ସୁପାରିଶ ମୁତାବକ ଆମ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଅମଳ ଖର୍ଚ୍ଚର ଦେଢ ଗୁଣା ସହାୟକ ମୂଲ୍ୟ ଭାବେ ଦିଆଯାଉ ବୋଲି ସେ ଦାବୀ କରିଥିଲେ । ସେହିପରି କୃଷୀବୀମା ସମସ୍ୟା, ଚାଷୀବୀମା ସମସ୍ୟା ଓ ଦାଦନ ସମସ୍ୟାରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିଲେ । ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପାଇଁ ୫ ଶହ କୋଟି ଟଙ୍କା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ଦିଆ ସରିଛି ବୋଲି ସୂଚନା ଦେଇଥିଲେ । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା ମହିଳା ସଭାନେତ୍ରୀ ମିଲନୀ ସାହୁ, ବିଧାୟକ ପୌର ନୋମିନୀ ଅଜୟ ବାଲୀ ମଞ୍ଚସୀନ ଥିଲେ ।

jay balangir
Leave A Reply

Your email address will not be published.

16 − thirteen =

error: Content is protected !!