ମହିଳା ଚେତନା ବିନା ସାମାଜିକ ସମୃଦ୍ଧି ଅସମ୍ଭବ : ଡ. ପ୍ରଦୀପ ହୋତା

ବରଗଡ, (ନିରୋଜ କୁମାର ପାଣୀ) : ଯେଉଁ ଅଂଚଳ ଯେତିକି ମହିଳା ଚେତନାରେ ସମୃଦ୍ଧ ସେହି ଅଞ୍ଚଳ ସେତିକି ଅଧିକ ପ୍ରଗତିଶୀଳ ଓ ସମ୍ୱେଦନ ରହିତ । ବରଗଡ ମହିଳା ମହାବିଦ୍ୟାଳୟର ନାମ ପରିବର୍ତ୍ତିତ ହୋଇ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ନାମିତ ହେବା ପଛରେ ବରଗଡ ମହିଳା ସମିତି ର ଉଦ୍ୟମ ସର୍ବାଗ୍ରେ ପ୍ରଶଂସନୀୟ ଏବଂ ଏହାହିଁ ମହିଳା ଚେତନାର ଅନନ୍ୟ ଉଦାହରଣ ବୋଲି ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଦୀପ ହୋତା ମତବ୍ୟକ୍ତ କରିଛନ୍ତି । ଗତକାଲି ବରଗଡ ମହିଳା ସମିତି ପକ୍ଷରୁ ସଭାନେତ୍ରୀ ରାଧାରାଣୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ତ୍ତିକ ମାସ ପ୍ରଥମ ଦିବସରେ ସ୍ଵତନ୍ତ୍ର ଆଲୋଚନା ଚକ୍ରରେ ଡ. ହୋତା ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ । ଡ. ହୋତା ଆହୁରି କହିଲେ ଯେ, ଆନୁଷ୍ଠାନିକ ଓ ବ୍ୟକ୍ତିଗତ ଉଦ୍ୟମ ସତ୍ତ୍ୱେ ଯେଉଁ କାର୍ଯ୍ୟ ଦଶନ୍ଧି ଦଶନ୍ଧି ଧରି ସମ୍ଭବ ହୋଇପାରି ନଥିଲା ତାହା ବରଗଡ ମହିଳା ସମିତିର ଆନ୍ତରିକ ଉଦ୍ୟମ ଯୋଗୁଁ ହିଁ ସମ୍ଭବ ହୋଇଛି ଏବଂ ଏଥିପାଇଁ ସମିତି ଧନ୍ୟବାଦର ପାତ୍ର । ସମୟର ସଦୁପଯୋଗ ସାଙ୍ଗକୁ ଦାୟିତ୍ୱବୋଧତା ଦ୍ଵାରା ହିଁ ଅସାଧ୍ୟ ସାଧନ ହୋଇପାରେ ଏବଂ ମହିଳା ମହାବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ ତାହାକୁ ପ୍ରମାଣିତ କରିଛି ବୋଲି ସମ୍ମାନୀତ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ମହିଳା ସମିତି ପକ୍ଷରୁ ଡ଼ ପ୍ରଦୀପ ହୋତାଙ୍କୁ ଉପାୟନ ଓ ପ୍ରଶଂସା ପତ୍ର ଦେଇ ଗୀତା ମିଶ୍ର ଓ ବନଶ୍ରୀ ପାତ୍ର ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମ୍ପାଦିକା ମନ୍ଦାକିନୀ ପତି ମାନପତ୍ର ପାଠ କରିଥିଲେ । ପରିବେଶର ସୁରକ୍ଷା ପାଇଁ ଆଗାମୀ ଦିନରେ ବରଗଡ ମହିଳା ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସଭାନେତ୍ରୀ ରାଧାରାଣୀ ମିଶ୍ର ଘୋଷଣା କରିଥିଲେ ।

Leave A Reply

Your email address will not be published.

1 × 5 =