csstore

ମା’ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀପାଲି ଠାରେ ପାଳିତ ହେଲା ସମ୍ବିଧାନ ଦିବସ ୨୦୨୨

  • ଦେଶର ଗୌରବ ଓ ବିକାଶର ଚାବିକାଠି ଆମର ମହାନ ସମ୍ବିଧାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମା’ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀପାଲି ଠାରେ ନେହେରୁ ଯୁବ କେନ୍ଦ୍ର ଏବଂ ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ସ୍ୱପ୍ନା ମହାପାତ୍ର, ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଦେବାଶିଷ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଦିବସ ପରିପ୍ରେକ୍ଷୀରେ ଅତିଥି ବୃନ୍ଦ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଆମର ମହାନ ଓ ସମୃଦ୍ଧ ସମ୍ବିଧାନ ଦେଶର ଗୌରବ ଓ ବିକାଶର ଚାବିକାଠି ବୋଲି ଅଭିହିତ କରି ଦେଶର ଗୌରବମୟ ବିକାଶ ତଥା ସମଭାବାପନ୍ନ ସମାଜ ଗଠନ ଉପରେ ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ତଥା ନାଗରିକଙ୍କ ମୌଳିକ ଅଧିକାର ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥି ବୃନ୍ଦ ଓ ଉପସ୍ଥିତ ସମସ୍ତେ ଭାରତୀୟ ସମ୍ବିଧାନ ପ୍ରସ୍ତାବନାର ପାଠ କରିବା ସହିତ ସୁସ୍ଥ ଓ ସମୃଦ୍ଧ ଦେଶ ଗଠନ ନିମିତ୍ତ ଶପଥ ପାଠ କରିଥିଲେ । ପୁନଶ୍ଚ ଦେଶର ମହାନ ଓ ସମୃଦ୍ଧ ସମ୍ବିଧାନର ସଂରଚନା ତଥା ପ୍ରସ୍ତୁତ କରିଥିବା ମହାମନୀଷୀଙ୍କୁ ଆନ୍ତରିକ ଶ୍ରଦ୍ଧାସୁମନ ପ୍ରଦାନ କରିଥିଲେ ଅତିଥି ବୃନ୍ଦ ଓ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଆଧ୍ୟପକ ମଣ୍ଡଳୀ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପିକା ଚୁମକି ନାୟକ ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ବିଧାନ ପର୍ଯ୍ୟବେଷିତ ସାଧାରଣଜ୍ଞାନ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ମୃତ୍ୟୁଞ୍ଜୟ ମିଶ୍ର, ସୁନୀଲ ଦନ୍ତା ଏବଂ କବିରାଜ ଧରେଇଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁରର ଏମ୍‌ଟିଏସ କୃପାସିନ୍ଧୁ ସା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.