csstore

ରେଙ୍ଗାଲି ଗାଁରେ ଜନ ଶୁଣାଣୀ : ଲୋକଙ୍କ ମୁଖରେ ଉଠିଲା ଅନେକ ସମସ୍ୟା ଓ ଆଶା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଉମାକାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗ୍ରାମ ଅଞ୍ଚଳର ଲୋକମାନେ ନିଜର ଅଭିଯୋଗ ଓ ଅସୁବିଧାଗୁଡିକ ପ୍ରସ୍ତୁତ କରିଥିଲେ । ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ ଲୋକମାନଙ୍କ ଅଭିଯୋଗ ଗୁଡିକ ଧୈର୍ଯ୍ୟର ସହିତ ଶୁଣିଥିଲେ । ସେ ଲୋକମାନଙ୍କ ସହ ସରଳ ଓ ସହଜ ଭାବେ ଆଲୋଚନା କରି, ପ୍ରତ୍ୟେକ ଅଭିଯୋଗର ଯଥାପ୍ରକାର ସମାଧାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ ପତ୍ରଗୁଡ଼ିକ ଗ୍ରହଣ କରି ପ୍ରତ୍ୟେକ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନା ଦେଇଥିଲେ । ଶିବିରରେ ବିଡ଼ିଓଙ୍କ ସକ୍ରିୟ ଭୂମିକା ଓ ଜନସେବା ପ୍ରତି ତାଙ୍କ ନିଷ୍ଠା ଦେଖି ଗ୍ରାମବାସୀମାନେ ସନ୍ତୁଷ୍ଟି ବ୍ୟକ୍ତ କରିଥିଲେ । ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ୧୬ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଦରଖାସ୍ତ ଦେଇ ଥିବାବେଳେ ୧୫୯ ଜଣ ସ୍ୱଚ୍ଛଭାରତ ମିଶନ ଅନ୍ତର୍ଗତ ଶୌଚାଳୟ ପାଇଁ, ୧୧ ଜଣ ବାର୍ଦ୍ଧକ୍ୟ ଭତ୍ତା, ୮ ଜଣ ରାସନ କାର୍ଡ, ମନରେଗା ସମ୍ବନ୍ଧୀୟ ୨ ଜଣ, ଏଡିସନାଲ ସ୍କୁଲ ଗୃହ ପାଇଁ ଜଣେ, ମୋଟ ୧୯୭ଟି ଆବେଦନ ହୋଇଥିବା ଜଣାପଡିଛି । ଏହି ଅବସରରେ ଜିପିଇଓ ପରମେଶ୍ୱର ନାଏକ, ସିଡ଼ିପିଓ ଅମିତା ପଣ୍ଡା, ଯନ୍ତ୍ରୀ ସୂର୍ଯ୍ୟଭାନୁ ମେହେର, ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର, ଯୋଗାଣ ଅଧିକାରୀ ବିକାଶ ବାର୍ଲା, ପିଇଓ ବାହୁ ବଳେନ୍ଦ୍ର ପୁରୋହିତଙ୍କ ସମେତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ । ବିଡ଼ିଓ ଶ୍ରୀ ଷଡ଼ଙ୍ଗୀଙ୍କ ସମସ୍ୟା ସମାଧାନ ଭାବନା, ଲୋକମାନଙ୍କ ସହ ତାଙ୍କର ସହଜ ସମ୍ପର୍କ ଓ ମାନବିକ ଆଭିଗମ ପ୍ରଶଂସା ଯୋଗ୍ୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

jayashree
Leave A Reply

Your email address will not be published.