ଜିଲ୍ଲାମହକୁମା ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ୮୯ତମ ଓଡିଶା ଦିବସ ସମାରୋହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅପ୍ରେଲ ୧ ତାରିଖ ପବିତ୍ର ଉତ୍କଳ ଦିବସ । ଏହି ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏହା ଆମ ରାଜ୍ୟ ଇତିହାସରେ ଏକ ଅବିସ୍ମରଣୀୟ ଦିବସ ଅଟେ । ପ୍ରତି ଓଡିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନର ଦିନ । ଏହି ଦିନ ସ୍ଵତନ୍ତ୍ର ଭାବେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଜନ୍ମ ହୋଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଉତ୍କଳମଣୀ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି ଓଡିଶାର ଅନେକ ବରପୁତ୍ରମାନେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ । ଏହି ବୀରପୁତ୍ରମାନଙ୍କ ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଦିନ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇ ପାରିଥିଲା । ଏହି ଅବସରରେ ସୋମବାର ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ଛତ୍ରପୁର ଲୋଏର ବସ୍‌ଷ୍ଟାଣ୍ଡଠାରେ ଅବସ୍ଥାପିତ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ବାର୍ ଆସୋସିଏସନ୍ କୋଠା ସନ୍ନିକଟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଏବଂ ସଦର ଦପ୍ତର ପରିସରରେ ଅବସ୍ଥାପିତ ଉତ୍କଳର ବରପୁତ୍ର ଏବଂ ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ସେହିପରି ପ୍ରଶାସନିକ ରାଜପଥ ସିଭିଲ୍ ରୋଡ଼ ପାଶ୍ୱର୍ରେ ଅବସ୍ଥାପିତଥିବା ଜାତିର ଜନକ ମହାତ୍ମା ଗାନ୍ଧୀ, ଚାଖି ଖୁଣ୍ଟିଆ, ଜୟୀ ରାଜଗୁରୁ, ରମାଦେବୀ, ବକ୍ସିଜଗବନ୍ଧୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବାଜି ରାଉତ,ଡଃ. ହରେକୃଷ୍ଣ ମହତାବ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଚଳିତ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏବଂ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଆଚରଣ ବିଧି ନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନିରାଡମ୍ବର ଓ ମାର୍ଜିତ ଭାବେ ପାଳନ କରଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ସୌଜନ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଖୁବ୍ ଶୃଙ୍ଖଳିତ ଥିଲା । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମୂହିକ ଗାନ କରାଯାଇଥିଲା । ବରପୁତ୍ରଙ୍କ ପ୍ରତିକୃତୀରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରଦୀପ ପ୍ରଜ୍ୱଳନ କରି ମହାପୁରୁଷଙ୍କୁ ପ୍ରଣତି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଦେବବ୍ରତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଅନ୍ୟାନ୍ୟ ଅଧିକାରୀଗଣ ସକ୍ରୀୟ ଯୋଗଦାନ କରି ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରିଥିଲେ । ଏହି ସମାରୋହରେ କଲେକ୍ଟ୍ରେଟ୍ ଷ୍ଟାଫ୍ ଓ ସମସ୍ତ କର୍ମଚାରୀ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ବାରପୁତ୍ରଙ୍କ ପ୍ରତିକୃତୀରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.

11 − ten =