
ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ
ବଲାଙ୍ଗିର, (କେପିଏନ୍ଏସ୍) : ଚାକଚକ୍ୟପୂର୍ଣ୍ଣ ଅତ୍ୟାଧୁନିକ ଦୁନିଆରେ ନିଜର ଆବଶ୍ୟକତା ଓ ଇଚ୍ଛା ପୂରଣ କରିବାକୁ ଯାଇ ମଣିଷ ଅନେକ ପନ୍ଥାକୁ ଅନୁସରଣ କରୁଛି। କିନ୍ତୁ ଭୁଲିଯାଉଛି ନିଜର ପ୍ରକୃତ କର୍ତ୍ତବ୍ୟ ଓ ହରେଇ ବସୁଛି ନିଜର ପ୍ରକୃତ ପରିଚୟ । ବେଦ, ଉପନିଷଦ, ପୁରାଣରେ ବର୍ଣ୍ଣିତ ତଥା ଦାର୍ଶନିକମାନଙ୍କ ଜୀବନାଦର୍ଶ ଓ ନିଦ୍ଦେଶୋବଳିକୁ ଭୁଲିଯାଇ ନିଜର ଆତ୍ମପ୍ରତିଷ୍ଠା ପାଇଁ ବ୍ୟାକୁଳ ହେଉଛି ମଣିଷ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ଵାରା ଆୟୋଜିତ “ଗାଳ୍ପିକ ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ”ରେ ଅତିଥିବକ୍ତା ଭାବରେ ପ୍ରଫେସର କାଳିଦାସ ମିଶ୍ର ଯୋଗଦେଇ “ପରିଚୟ ଖୋଜୁଛି ମଣିଷ” ଶୀର୍ଷକ ବକ୍ତବ୍ୟରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟର ବ୍ୟାଖ୍ୟା କରି ଏଭଳି ମତ ଦେଇଛନ୍ତି । ‘ରଚନା’ର ବରିଷ୍ଠ ସଦସ୍ୟ କବି ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମନୋଜ ପଣ୍ଡାଙ୍କ ଜୀବନ ଓ କୃତି ସମ୍ପର୍କରେ ସୂଚନା ଦେଇଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ ଏବଂ ଗାଳ୍ପିକ ପଣ୍ଡାଙ୍କ ଲିଖିତ ଏକ ପ୍ରବନ୍ଧ ପାଠ କରିଥିଲେ କବି ଝରଣା ସାହୁ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଆଭାସ କୁମାର ବରାଳଙ୍କୁ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର-୨୦୨୬” ସ୍ୱରୂପ ଉତ୍ତରୀୟ, ମାନପତ୍ର ଓ ଦଶହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ‘ରଚନା’ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ‘ରଚନା’ର ବରିଷ୍ଠ ସଦସ୍ୟା କବି ସସ୍ମିତା ନେପାକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ‘ରଚନା’ର ସଭାପତି ସନାତନ ଠାକୁର । ଏହି ସମାରୋହରେ ବହୁ ସଂଖ୍ୟାରେ ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ ଓ ମନୋଜଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।