jayashree

୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୬ ସମାପନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସରକାରଙ୍କ ସହଯୋଗରେ, ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ବୁଧବାର ସନ୍ଧ୍ୟାରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ (ବାଳିକା ଓ ବାଳକ) ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୬, ଫୁଟବଲ୍ ଚାମ୍ପିଅନସିପ୍ ସଫଳତାର ସହିତ ଶେଷ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟିକୋଣରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପ୍ ରାଜ୍ୟରେ ତୃଣମୂଳ ସ୍ତରରେ ଫୁଟବଲର ପ୍ରଚାର ଏବଂ ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ ଭାବରେ ଉଭା ହୋଇଛି । ଏହି ଚାମ୍ପିଅନସିପକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗକୁ ସେମାନଙ୍କର ଅମୂଲ୍ୟ ସମର୍ଥନ ଓ ପ୍ରତିବଦ୍ଧତା ପାଇଁ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଆନ୍ତରିକ କୃତଜ୍ଞତା ପ୍ରଦାନ କରାଯାଇଥିଲା । ସମାପନ ସମାରୋହରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ଏସଡିସି ଅଧ୍ୟକ୍ଷ ସନ୍ତୋଷ ଅମାତ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା, ଡିଏସ୍‌ୱାଇଏସ୍ ଉପ-ନିର୍ଦ୍ଦେଶକ ସୁଦିପ୍ତ ନାଏକ, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ସଚିବ ତଥା ଏଫ୍ଏଓ ଯୁଗ୍ମ ସଚିବ ଅଭିଜିତ୍ ପାଉଲ, ସୁନ୍ଦରଗଡ ଡିଏଏ ସଚିବ ପ୍ରଭାତ ଭୋଳ, ଓଡିଶା ଫୁଟବଲ୍ ଆସୋସିଏସନର ଯୁଗ୍ମ ସମ୍ପାଦକ ବିଶ୍ୱରଞ୍ଜନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ । ଫାଇନାଲରେ ଭୁବନେଶ୍ୱର (ବାଳିକା) ୧-୦ରେ ବିଜୟୀ ହୋଇ ଟ୍ରଫି ଏବଂ ପୁରସ୍କାର ୧ ଲକ୍ଷ ଟଙ୍କା ପାଇଥିଲା ବେଳେ ରନର୍ସ ଅପ୍ କେଉଁଝର ୭୫ ହଜାର ଟଙ୍କା ପୁରସ୍କାର ପାଇଥିଲେ । ସେହିପରି ମ୍ୟାନ ଅଫ ଦି ମ୍ୟାଚ୍ ସକୁନ୍ତଳା ସିଂକୁ (ଭୁବନେଶ୍ୱର) ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବରେ ଖେଳାଳି ପୂଜା ଓରାମ (କେଉଁଝର)ଙ୍କୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିପରି ବାଳକ ବର୍ଗରେ ବରଗଡ଼ ୧-୦ ଗୋଲରେ ବିଜୟୀ ହୋଇ ଚାମ୍ପିଅନ୍ ହୋଇଥିଲା । ବରଗଡ଼କୁ ଟ୍ରଫି ଏବଂ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ରନର୍ସ-ଅପ୍ ଯାଜପୁରକୁ ପୁରସ୍କାର ରାଶି ୭୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଖେଳାଳି ରୋହନ ସୁନା (ବରଗଡ଼) ପୁରସ୍କାର ରାଶି ୧୦ ହଜାର ଟଙ୍କା ଏବଂ ଟୁର୍ଣ୍ଣାମେଣ୍ଟର ଖେଳାଳି ଭାବେ ଲକ୍ଷ୍ମଣ ମାଝୀ (ଯାଜପୁର)ଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.