csstore

ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍ମାରକ ସମ୍ମାନ ପ୍ରଦାନ ସମାରୋହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ, ଜମୁନାଲାଲ୍ ବଜାଜ୍ ସମ୍ମାନ ବିଜୟୀ, ଭୂ ସତ୍ୟାଗ୍ରହୀ ଓ କୋରାପୁଟିଆ ଗାନ୍ଧୀ ଭାବେ ବେଶ ପରିଚିତ ଥିବା ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୦ତମ ଜୟନ୍ତୀ ଉତ୍ସବ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ସମଗ୍ର ସହରରେ ରାମଧୂନ ପରିବେଷଣ ଓ ପରେ ପରେ ସମିତି ପରିସରରେ ବୈତାଳିକ ପ୍ରାର୍ଥନା, ବୈତାଳିକ ଓ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ, ଆଜ୍ଞାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପରେ ଏକ ସାଧାରଣ ସଭା ଏବଂ ରାଜ୍ୟ ସ୍ତରୀୟ ସମ୍ମାନିତ ପ୍ରତିଭା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଉକ୍ତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଭୂବନେଶ୍ଵରର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଭୁବନେଶ୍ଵରରୁ ପ୍ରକାଶିତ ଦୈନିକ ଖବରକାଗଜ “ପ୍ରଗତିବାଦୀ”ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରଜତ ଦିଗାଳ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରଶ୍ମିତା କରନ୍, ମୁଖ୍ୟବକ୍ତା ଭାବେ ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଜ୍ଞାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସମିତିର ସହ-ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ । ସମିତିର ସଭାପତି ଲାଲ୍‌ନନ୍ଦ ପ୍ରଧାନ ନିଜର ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ବିଭିନ୍ନ ସେବା ସମ୍ମାନ” ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏଥିରେ “୧୩ ତମ ଆଜ୍ଞା ସେବା ସମ୍ମାନ” ଜୟପୁର, କୋରାପୁଟ ଅଞ୍ଚଳର ବରିଷ୍ଠ ସମାଜସେବୀ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୨୫,୦୦୦/-ଉତ୍ତରୀୟ ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବେଳେ “୨୦ ତମ ଆଚାର୍ଯ୍ୟ ହରିହର- ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ” କୋରାପୁଟ, ସିମିଳିଗୁଡ଼ା ଅଞ୍ଚଳର ବରିଷ୍ଠ ସମାଜସେବୀ କୃଷ୍ଣ ସିଂଙ୍କୁ ଟ.୨୫୦୦୦/-, ଉତ୍ତରୀୟ ଓ ମାନପ‌ତ୍ର ଏବଂ ” ୨୦ ତମ ମା’ ରମାଦେବୀ- ମାଳତୀ ଚୌଧୁରୀ ସ୍ମାରକ ସମ୍ମାନ” ଭୁବନେଶ୍ୱରର ସୁଶ୍ରୀ ନମ୍ରତା ଚଢ଼ାଙ୍କୁ ଟ.୨୫୦୦୦/-.ସହ ଉତ୍ତରୀୟ ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ସ୍ମରଣିକା “ପ୍ରଜ୍ଞା ପୁରୁଷ ଆଜ୍ଞା”କୁ ଉନ୍ମୋଚନ କରାଯାଇଥିଲା । ୨୦୨୫ ମେଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଷ୍ଠାନର ଛାତ୍ରୀ ପ୍ରାଚୀ କୁମାରୀଙ୍କୁ ନଗଦ ୫୦୦୦ ଟଙ୍କା ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସମିତିର ଛାତ୍ରଛାତ୍ରୀମାନେ ସ୍ୱାଗତ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ଅପରାହ୍ନରେ ସର୍ବଧର୍ମ ପ୍ରାର୍ଥନା ସହ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ, ସୁଶ୍ରୀ ଅପର୍ଣ୍ଣା ବେହେରା, ରୋହିତ ମହାରଣା, ସୁଜିତ ଦିଗାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.