csstore

ଓଡ଼ିଶାର ଜଣେ ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିର ଅନେକ ଅଭୁଲା ଅତୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତିଗତ ବିଦ୍ଵେଷ ଓ ଶୋଷଣରୁ ଦଳିତମାନଙ୍କ ମୁକ୍ତି ପାଇଁ ଜାତିଭେଦ, ବର୍ଣ୍ଣ ଭେଦ, ଧର୍ମ ଭେଦ ଭଳି ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିଆସିଥିବା ଓଡ଼ିଶାର ଜଣେ ସଂଗ୍ରାମୀ ପୁରୁଷ, ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଆଜି ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ବେଳେ ଅନେକ ଅଭୁଲା ଅତୀତକୁ ମନେ ପଡ଼ିଥାଏ । ଜାତି ବ୍ୟବସ୍ଥାର ଉନ୍ମୁଳନ ପାଇଁ ଉଦ୍ୟମ କରିବା ସହ ସେ ଦଳିତ ପିଲାମାନେ ପାଠ ପଢିବା ପାଇଁ ସ୍ଵତନ୍ତ୍ର ସ୍କୁଲର ବ୍ୟବସ୍ଥା କରିଥିଲେ । ଉଚ୍ଚ ଜାତିର ବ୍ରାହ୍ମଣ ସେବାୟତ ବା ପଣ୍ଡାମାନଙ୍କ ଆଧିପତ୍ୟ ରହିଥିବା ପୁରୀର ଜଗନ୍ନାଥ ମନ୍ଦିରରେ ୧୯୪୮ ମସିହାରେ ତାଙ୍କ ନେତୃତ୍ୱରେ ଐତିହାସିକ ମନ୍ଦିର ପ୍ରବେଶ ଆନ୍ଦୋଳନ ସଂଗଠିତ ହୋଇଥିଲା । ଯଦିଓ ପୁରୀ ଗଜପତିଙ୍କ ସମେତ ଓଡ଼ିଶାର କେତେକ ରାଜା, ଜମିଦାର ଓ ମଠ ମହନ୍ତ ତଥା ଉଚ୍ଚ ଜାତିର ରୁଢିବାଦୀ ଲୋକମାନେ ଭୟଙ୍କର ଭାବେ ବିରୋଧ କରିଥିଲେ କିନ୍ତୁ ତାହା ସତ୍ତ୍ୱେ ଦଳିତଙ୍କ ମନ୍ଦିର ପ୍ରବେଶ ସମ୍ଭବ ହୋଇପାରିଥିଲା । ଏଠାରେ ଉଲ୍ଲେଖଯାଗ୍ୟ ଯେ’ ଏହି ଆନ୍ଦୋଳନ ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିର ସମେତ ରାଜ୍ୟରେ ହିନ୍ଦୁ ମନ୍ଦିରମାନଙ୍କରେ ଦଳିତ ବା ଅସ୍ପୃଶ୍ୟ ଜାତିର ଲୋକଙ୍କ ପ୍ରବେଶ ଆଦୌ ସମ୍ଭବ ନଥିଲା । ହିନ୍ଦୁ ଧର୍ମର ଅନ୍ତର୍ଗତ ହୋଇଥିଲେ ମଧ୍ୟ ସେମାନେ ଉଚ୍ଚ ଜାତିର ବା ସବର୍ଣ୍ଣଙ୍କ ଭଳି ମନ୍ଦିର ଭିତରକୁ ପ୍ରବେଶ ଅଧିକାର ପାଇନଥିଲେ । କିନ୍ତୁ ୧୯୪୮ ମସିହାରେ ଦଳିତ ନେତା ପଦ୍ମଶ୍ରୀ ମୋହନ ନାୟକଙ୍କ ନେତୃତ୍ୱରେ ଦଳିତମାନଙ୍କ ଯେଉଁ ଜଗନ୍ନାଥ ମନ୍ଦିର ପ୍ରବେଶ ଆନ୍ଦୋଳନ ହେଲା, ତାରି ପରେ ଓଡିଶା ସରକାର ବାଧ୍ୟ ହୋଇ ଓଡିଶା ଟେମ୍ପୁଲ ଏଣ୍ଟ୍ରି ଆକ୍ଟ- ୧୯୪୮ରେ ପ୍ରଣୟନ କରିଥିଲେ । ଫଳରେ ଓଡ଼ିଶାର ସବୁ ମନ୍ଦିରରେ ଜାତି ନିର୍ବିଶେଷରେ ସବୁ ହିନ୍ଦୁଙ୍କ ପ୍ରବେଶକୁ ଆଇନଗତ ଅନୁମତି ମିଳିଥିଲା । ଯଦିଓ ଆଜି ବି କେବଳ ପୁରୀ ଜଗନ୍ନାଥ ମନ୍ଦିର ଓ କିଛି ମନ୍ଦିରକୁ ଛାଡିଦେଲେ ଆମ ରାଜ୍ୟର ଅଧିକାଂଶ ମନ୍ଦିର ଭିତରକୁ ଦଳିତ ବା ଅସ୍ପୃଶ୍ୟମାନଙ୍କୁ ପ୍ରବେଶର ସୁଯୋଗ ଦିଆଯାଉନି । କିଛି ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲାର କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ମଧ୍ୟରେ ଦଳିତମାନେ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କଲାବେଳେ ଯେଉଁ ଭଳି ପ୍ରତିରୋଧ କରାଯାଇଥିଲା, ସେମାନେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବାକୁ ପଡିଥିଲା । ଓଡ଼ିଶା ହାଇକୋର୍ଟ ଏହି ମାମଲାରେ ଦଳିତଙ୍କ ମନ୍ଦିର ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ । ଆଶ୍ଚର୍ଯ୍ୟର କଥା, ରାଜ୍ୟର ଜାତି ନିର୍ବିଶେଷରେ ସବୁ ହିନ୍ଦୁଙ୍କ ମନ୍ଦିର ପ୍ରବେଶର ଅଧିକାର ପାଇଁ ଆଇନ ତିଆରି ହେବାର ଏତେ ବର୍ଷ ପରେ ବି ରାଜ୍ୟର ବିଭିନ୍ନ ଗାଁରେ ଦଳିତଙ୍କ ମନ୍ଦିର ପ୍ରବେଶକୁ ନେଇ ଉତ୍ତେଜନା ଓ ହିଂସାର ଖବର ଲଗାତାର ମିଳୁଛି । ସମାଜ ସଂସ୍କାରକ ମୋହନ ନାୟକଙ୍କ ମୃତ୍ୟୁ ବାର୍ଷିକୀ ଆବା ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମାଜର ଅଗଣିତ ଜନସାଧାରଣଙ୍କ ତରଫରୁ ଗଭୀର ଶ୍ରଦ୍ଧା ସୁମନ୍ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

jayashree
Leave A Reply

Your email address will not be published.