
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ମୁଖ୍ୟାଳୟ ଠାରେ ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଧାନମଣ୍ଡି (ପ୍ୟାକ୍ସ) କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଉଦ୍ଘାଟନ କରାଯାଇଛି । ଆୟୋଜିତ ଉଦ୍ଘାଟନୀ ଉତ୍ସବରେ କପିଲାଭଟା ଇନ୍ଚାର୍ଜ ପ୍ୟାକ୍ସ ସମ୍ପାଦକ ସୁମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ଶିକ୍ଷାବିତ ଭୁରିଶ୍ରବା ବିଶି, ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳବାସୀ ମାନେ ଦୀର୍ଘ ଦିନ ହେଲା ପ୍ୟାକ୍ସ ସ୍ଥାପନ ପାଇଁ ଦାବି କରିବା ପରେ ଆଜି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କପିଲାଭଟା ଠାରେ କାର୍ଯ୍ୟକ୍ଷମ ହେଉଥିବାରୁ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ଚାଷୀମାନେ ବିଭିନ୍ନ କାର୍ଯ୍ୟରେ ଚୁଲିଫୁଙ୍କା ପ୍ୟାକ୍ସ ଉପରେ ନିର୍ଭର କରୁଥିବା ବେଳେ କପିଲାଭଟାରେ ପ୍ୟାକ୍ସ ହୋଇଥିବାରୁ ବର୍ତ୍ତମାନ ଚାଷୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହି ଧାନମଣ୍ଡି କପିଲାଭଟା ଓ ଗନ୍ଧରାବନ୍ଧ ପଞ୍ଚାୟତର ୧୦ ଗୋଟି ଗାଁର ଚାଷୀମାନେ ବିଭିନ୍ନ ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି । ଅଞ୍ଚଳର ବହୁ ଚାଷୀମାନେ ଉପସ୍ଥିତ ଥିଲେ । ଏଥିରେ ପ୍ୟାକ୍ସର କର୍ମଚାରୀ ଓ ମା’ ସାହାଜି ଯୁବକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଏହି ପ୍ୟାକ୍ସ୍ ୨୦୨୨ ମସିହାରେ ଗଠନ ହୋଇ ୨୦୨୩ ମସିହାରେ ପଞ୍ଜିକରଣ ହୋଇଥିବା ବେଳେ ୨୦୨୬ରେ ଶୁଭ ଉଦ୍ଘାଟନ ହୋଇଛି । ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ଲିଖିତ ଅଭିଯୋଗ କରି କରି ନୟାନ୍ତ ପରେ ବର୍ତ୍ତମାନ କାର୍ଯ୍ୟକ୍ଷମ କରାଯାଇଥିବା ଯୋଗୁଁ ବିଳମ୍ବ ହେଲେ ମଧ୍ୟ ଚାଷୀମାନେ ଉପକୃତ ହେବେ ବୋଲି ୨ ପଞ୍ଚାୟତବାସୀ ଆଶା ରଖିଛନ୍ତି ।