ମୁଁ ଗଭୀର ଷଡଯନ୍ତ୍ରର ଶିକାର ହୋଇଛି : ସଞ୍ଜୟ ମିଶ୍ର

ମହିଳା ଅସଦାଚରଣ ମାମଲା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳା କର୍ମଚାରୀଙ୍କୁ ଅସଦଚାରଣ ଘଟଣାରେ ଆଜି ନିଲମ୍ବିତ ଉପ ଜିଲ୍ଲାପାଳ ସଂଜୟ କୁମାର ମିଶ୍ର ଲୋକାଲ କମପ୍ଲେନ କମିଟି (ଏଲସିସି) ଆଗରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ଲୋକାଲ କମପ୍ଲେନ କମିଟି ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରିଣୀଙ୍କୁ ଉପରୋକ୍ତ ଘଟଣାରେ ଆଜି ତାଙ୍କର ପକ୍ଷ ରଖିବା ପାଇଁ ନୋଟିସ୍ ଜାରି କରିଥିଲେ । ସେହି କ୍ରମରେ ଆଜି ଉଭୟେ କମିଟି ଆଗରେ ନିଜ ପକ୍ଷ ରଖିଥିଲେ । ନିଜ ପକ୍ଷ ରଖି ସାରିବା ପରେ ଉପଜିଲ୍ଲାପାଳ ଶ୍ରୀ ମିଶ୍ର ବାହାରକୁ ଆସି ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ । ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ମୋ ବିରୁଦ୍ଧରେ ଗଭୀର ଷଡଯନ୍ତ୍ର କରାଯାଇଛି । କାରଣ ମୋର ଏକ ବର୍ଷ ଏକ ମାସ ବଲାଙ୍ଗୀରରେ ରହଣୀ କାଳରେ ଅନେକ ଉନ୍ନୟନମୂଳକ କାମ ହୋଇଛି । ଉନ୍ନୟନମୂଳକ କାମ ପାଇଁ ଅନେକ ପ୍ରକାର ଜବର ଦଖଲ ଉଚ୍ଛେଦ କରାଯାଇଛି । ଆଗକୁ ମଧ୍ୟ ଅନେକ ଜବର ଦଖଲ ଉଚ୍ଛେଦ ହେବାର ଥିଲା । ଏଥିରେ ଅନେକ ଲୋକ କ୍ଷତି ସହିଥିବା ବେଳେ, ମୋ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇଛି । ସେହିପରି ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯିବା ପ୍ରସଙ୍ଗରେ ପଚରାଯିବାରୁ ବଦଳି ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି କହିଥିଲେ । ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହେବା ପ୍ରସଙ୍ଗରେ ସେ କହିଥିଲେ ଯେ, ଏହା ରାତିରାତି ଖରାପ ହୋଇ ଯାଇନାହିଁ । ଗତ ବର୍ଷ ବନ୍ୟା ସମୟରୁ ଏହା ଖରାପ ହୋଇ ପଡିିଛି । ତେବେ ତାଙ୍କ ନିଲମ୍ବନ ପ୍ରସଙ୍ଗରେ ସେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିବେ ବୋଲି କହିଥିଲେ । ଏହା ସହିତ କମିଟିକୁ ସେ ତାଙ୍କର ଫୋନ ନମ୍ବର ଓ ଠିକଣା ଦେଇଛନ୍ତି । ଆବଶ୍ୟକ ହେଲେ ସେମାନେ ମତେ ପୁର୍ନବାର ଡାକି ପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଅପର ପକ୍ଷରେ ଅଭିଯୋଗ କରିଥିବା ମହିଳା କର୍ମଚାରୀଙ୍କ ବୟାନ ମଧ୍ୟ କମିଟି ରେକର୍ଡ କରିଥିଲା । ଅଭିଯୋଗକାରିଣୀ ମହିଳା ଉପଜିଲ୍ଲାପାଳଙ୍କ ଷଡଯନ୍ତ୍ର ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ କୌଣସି ଭଦ୍ର ମହିଳା ଅକାରଣେ ଅସଦାଚାରଣ ଅଭିଯେଗ କରିବ ନାହିଁ ବୋଲି କହିଛନ୍ତି । ତେବେ ଆଗାମୀ ଦିନରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ନିଜର ମନ୍ତବ୍ୟ ରଖିଛନ୍ତି । ସୂଚନାଯୋଗ୍ୟ ଯେ , ଉପଜିଲ୍ଲାପାଳ କାର୍ୟ୍ୟାଳୟର ଜଣେ ମହିଳା କର୍ମଚାରୀ ଉପଜିଲ୍ଲାପାଳ ତାଙ୍କୁ ଅସଦାଚାରଣ କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତୁରନ୍ତ ମହିଳା କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରିଥିଲେ । ସେହିପରି ରାଜ୍ୟ ସରକାର ଗତ ୩ ତାରିଖରେ ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ନିଲମ୍ବନ କରିଥିଲେ ।

Leave A Reply

Your email address will not be published.