ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଟ୍ରାଫିକ ସମସ୍ୟା ସାଙ୍ଗକୁ ସହରର ଜନଗହଳି ପୂର୍ଣ୍ଣ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଆଜି ଟିଟିଲାଗଡ଼ ସହର ସର୍ଗିଗୁଡା ସ୍ଥିତ ବଜାଜ ସୋରୁମ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସିଟି ସ୍କୁଲ ପଟରୁ ଆସୁଥିବା ଏକ ହାଇଡ୍ରା ଜଣେ ବୃଦ୍ଧାଙ୍କୁ ଦଳିଦେବା ଯୋଗୁଁ ଘଟଣା ସ୍ଥଳରେ ହିଁ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଦେବକୀ ହରପାଲ ଏବଂ ସ୍ଥାନୀୟ ମଦନଜାଲ ଛକର ବୋଲି ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ହାଇଡ୍ରା ଗାଡି ଚାଳକ ଜଣକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ମୃତକ ଦେବକୀ ହରପାଲଙ୍କ ଘରେ ଗୋଟିଏ ବିକଳାଙ୍ଗ ପୁଅ, ଗୋଟିଏ ବିକଳାଙ୍ଗ ବୋହୂ ସହ ୪ ଟି ନାତିନାତୁଣୀ ଥିବା ବେଳେ ବୃଦ୍ଧା ଜଣକ ଭିକ୍ଷା ବୃତ୍ତି କରି ପରିବାର ଜଲାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଟିଟିଲାଗଡ ପୋଲିସ ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଗାଡି ମାଲିକ ନିଜ ତରଫରୁ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେବା ପରେ ମହୋଲ ଶାନ୍ତ ହୋଇଥିଲା ।