ସାଇନ ବୋର୍ଡରେ ସୀମିତ ବାହ୍ୟମଳମୁକ୍ତ ଗାଁ : ରେଳ ଧାରଣା ଉପରେ କରୁଛନ୍ତି ମଳତ୍ୟାଗ

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ୱଚ୍ଛ ଭାରତ ଯୋଜନାରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁ ଗୁଡିକରେ ପାଇଖାନା ନିର୍ମାଣ କରି ପ୍ରତ୍ୟେକ ହିତାଧିକାରୀ‌ଙ୍କୁ ୧୨ ହଜାର ଟଙ୍କାର ସହାୟତା ଦେଉଛନ୍ତି । କିନ୍ତୁ କାର୍ୟ୍ୟରତ ଜେଇଙ୍କ ଠିକାଦାର ପ୍ରୀତି ଯୋଗୁଁ ନି‌ମ୍ନମାନର ପାଇଖାନା ବ୍ୟବହାର ନ ହୋଇ ଭାଙ୍ଗିଯାଉଛି । ଲୋକମାନେ ରାସ୍ତାକଡ ଓ ରେଳ ଧାରଣା ଉପରେ ମଳତ୍ୟାଗ କରି ହଟହଟା ହେଉଛନ୍ତି । ଦେଓଗାଁ ବ୍ଳକର ଏପରି ଦୁଇଟି ଗାଁ ଅଛି । ଲୋକ ଉଠିଲା ମାତ୍ରେ ରେଳ ଧାରଣାକୁ ଯାଇଥାନ୍ତି ମଳତ୍ୟାଗ ପାଇଁ । କିନ୍ତୁ ପ୍ରତି ଘରେ ଦୁଇରୁ ତିନିଟି ପାଇଖାନା ନିର୍ମାଣ କରି ସରକାରୀ ସହାୟତା ହାତେଇଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକର ଜରାସିଂହା ପଞ୍ଚାୟତର ଚନ୍ଦ୍ରପୁର ଓ ହାତୀସରା ପଞ୍ଚାୟତର ହାତୀସରା ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି । ମାତ୍ର ତାହା କାଗଜ କଲମରେ ସୀମିତ ରହିଛି । ଏହି ଗାଁର ଅନେକ ପୁରୁଷ ଓ ମହିଳା ବଲାଙ୍ଗିର- ଟିଟିଲାଗଡ଼ ରେଳଧାରଣା ଉପରେ ମଳତ୍ୟାଗ କରୁଥିବା ଦେଖାଯାଇଛି । ଫଳରେ ଏହି ଧାରଣା ମରାମତି ଓ ଅନ୍ୟାନ୍ୟ କାର୍ୟ୍ୟରେ ନିୟୋଜିତ କର୍ମଚାରୀମାନେ ରେଳ ଧାରଣାକୁ ମରାମତି ନ କରି ଫେରି ଆସୁଛନ୍ତି । ତେଣୁ ଉଭୟ ଗାଁର ଲୋକଙ୍କୁ ରେଳ ଧାରଣାରେ ମଳତ୍ୟାଗ ନ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.