ଚତୁର୍ଥ ଦିନରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଧାରଣା : ସମସ୍ୟାର ନ୍ୟାୟୋଚିତ ସମାଧାନ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅଧୀନ‌ସ୍ଥ ଆଇସିଡିଏସ୍‌ର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ଅନିୟମତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସ ଠାରେ ଚାରି ଦିନ ହେଲା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ସଦସ୍ୟାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଆଇସଡିଏସ୍‌ ତରଫରୁ ଗତ ଫେବୃଆରୀ ମାସରେ ଛତୁଆ ତିଆରି ଏବଂ ବଣ୍ଟନ ପାଇଁ ଆବେଦନ କରିବାକୁ ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ନୋଟିସ୍ ଦିଆଯାଇଥିଲା । ହେଲେ ପରେ କରୋନା ଲକଡାଉନ୍ ଯୋଗୁଁ କୈାଣସି ସ୍ୱୟଂ ସହାୟିକା ଗୋଷ୍ଠୀକୁ ନ ଜଣେଇ ବିନା କୈାଣସି ଯାଂଚରେ ଛତୁଆ ତିଆରି ପାଇଁ ଦରକାରୀ କୈାଣସି ବି ସାମଗ୍ରୀ କି ଯନ୍ତ୍ରପାତି ନଥିବା ଏକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଫେକ୍‌ ବିଲ ଆଧାରରେ ଛତୁଆ ତିଆରି ପାଇଁ ଚୟନ କରାଯିବା ଏବଂ ଜେଉଁମାନଙ୍କ ପାଖରେ ସମସ୍ତ ପ୍ରକାର ସଠିକ ବିଲ ଏବଂ ଯନ୍ତ୍ରପାତି ଅଛି ତାଙ୍କୁ ମାର୍କିଂ ଲିଷ୍ଟରୁ ବାଦ୍‌ ଦିଆଯିବା ଓ ଚୟନ ସମୟରେ କାହାରିକୁ ସୂଚୀତ କରାନଯିବା ସଂପୂର୍ଣ୍ଣ ଭାବରେ ଅନୈତିକ ବୋଲି ଅଭିଯୋଗ କରି ଗତ ୨୮ ତାରିଖ ଦିନ ଏହି ପରିପ୍ରେକ୍ଷୀରେ ପାଇକମାଲ ବିଡିଓ ଏବଂ ସିଡିପିଓଙ୍କୁ ଉଚିତ ତଦନ୍ତ ସହ ୫ ନଭେମ୍ବର ପର୍ୟ୍ୟନ୍ତ ନ୍ୟାୟୋଚିତ ପଦକ୍ଷେପ ନେବାପାଇଁ ଦାବୀ କରିଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ କାର୍ୟ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ । ଆଜିକି ୪ ଦିନ ହେଲା ଏହି ସଦସ୍ୟାମାନେ ଧାରଣାରେ ଦିନ ରାତି କାର୍ୟ୍ୟାଳୟ ସମ୍ମୁଖରେ ବସି ରହିଥିବା ବେଳେ ଗତକାଲି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଭେଟି ଥିଲେ । କିନ୍ତୁ ଜିଲ୍ଲାପାଳ ଆସି ପ୍ରତିଶ୍ରୁତି ନ ଦେବ ଯାଏ ଏବଂ ଉଚିତ ତଦନ୍ତ ନହେବା ଯାଏ ଧାରଣାରୁ ହଟିବେ ନାହିଁ ବୋଲି ସେମାନେ କହିଥିଲେ । ଏହି ବିଷୟରେ ଅଧିକାରୀମାନଙ୍କ ତରଫରୁ କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଦେଖିବା ବାକି ରହିଲା, ଏ ସମସ୍ୟାର ନ୍ୟାୟୋଚିତ ସମାଧାନ କେବେ ହେବ ଏବଂ ଧାରଣା କେବେ ସମାପ୍ତ ହେବ ।

Leave A Reply

Your email address will not be published.