
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ସାପ କାମୁଡ଼ା ଓ ବଜ୍ରପାତ ଭଳି ପ୍ରାକୃତିକ ବିପଦରୁ ଲୋକଙ୍କୁ ସୁରକ୍ଷିତ ରଖିବା ନେଇ ବଙ୍ଗୋମୁଣ୍ଡା ବ୍ଲକରେ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ବଲାଙ୍ଗିରଙ୍କ ସହଯୋଗରେ ପଞ୍ଚାୟତ ସମିତି ବଙ୍ଗୋମୁଣ୍ଡା ପକ୍ଷରୁ ବ୍ଲକ କନଫରେନ୍ସ ହଲ୍ରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଏନଜିଓ, ସିବିଓ ଓ ବିଭିନ୍ନ ଯୁବ କ୍ଲବର ସଦସ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ସାପ କାମୁଡ଼ିଲେ ତୁରନ୍ତ କ’ଣ କରିବା ଉଚିତ ଏବଂ କେଉଁସବୁ କାର୍ଯ୍ୟରୁ ଦୂରେଇ ରହିବା ଦରକାର, ସେନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିସହ ତୁରନ୍ତ ଡାକ୍ତରଖାନା ନେବା ଓ ଚିକିତ୍ସା ନେବାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ସେହିପରି ବଜ୍ରପାତ ସମୟରେ ନିଜକୁ କିପରି ସୁରକ୍ଷିତ ରଖିବେ, ଘର ବାହାରେ ଥିଲେ କେଉଁ ପଦକ୍ଷେପ ନେବେ ଏବଂ ବଜ୍ରପାତଜନିତ ଅଘଟଣକୁ କିପରି ଏଡ଼ାଇପାରିବେ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବର୍ଷା ଋତୁରେ ସାପ କାମୁଡ଼ା ଓ ବଜ୍ରପାତ ଯୋଗୁଁ ଘଟୁଥିବା ଅଘଟଣକୁ ହ୍ରାସ କରିବା ସହ ଗ୍ରାମାଞ୍ଚଳରେ ସଚେତନତା ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଥିଲା । ବଙ୍ଗୋମୁଣ୍ଡା ବିଡିଓ ନିତୁଶ୍ରୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିପିଡିଓ ପୁରୁଷୋତ୍ତମ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଲକ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା ।