pakka

ସାବାସ୍‌ ଡାକ୍ତର : ଅଢେଇ ବର୍ଷ ଛୁଆର ଜୀବନ ବଂଚାଇ ଦେବଦୂତ ସାଜିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବ ସେବା ମାଧବ ସେବା । ଏହି ଚିନ୍ତନକୁ ସମାଜରେ କିଛି କିଛି ଲୋକ ନିଜ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରଥାନ୍ତି । ସଦାସର୍ବଦା ଗରିବ ନିଃସହାୟଙ୍କ ପାଇଁ ସାହାଯ୍ୟ ସହଯୋଗ ଯୋଗେଇ ଦେଇ ଆସୁଥିବା ଅନେକ ଲୋକ ପରଦା ପଛରେ ରହିବାକୁ ପସନ୍ଦ କରନ୍ତି । କେବେ ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ କରନ୍ତି ନାହିିଁ । ଜଣେ ଗରିବ ଲୋକର ପୁଅକୁ ମାଗଣାରେ ଅସ୍ତ୍ରୋପଚାର କରାଇ ତା ପାଇଁ ଦେବଦୂତ ପାଲଟିଛନ୍ତି ଦୁଇ ଜଣ ଡାକ୍ତର ।

ସୂଚନା ଅନୁସାରେ ବଲାଙ୍ଗିର ରାମେଶ୍ୱରନଗର ପଡାର ସିଲୁ ଭୋଇ ଜଣେ ଶ୍ରମିକ ଭାବରେ କାମ କରି ପରିବାର ପରିପୋଷଣ କରନ୍ତି । ତେବେ ଲକଡାଉନ ଯୋଗୁଁ ତାଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ବେଳେ ହଠାତ ତାଙ୍କ ଅଢେଇ ବର୍ଷର ପୁଅ ହାର୍ନିଆ ରୋଗରେ ପୀଡିତ ହେଲା । ଦିନକୁ ଦିନ ବଢିବାରେ ଲାଗିଲା ଯନ୍ତ୍ରଣା । ଏ ସଂର୍ପକରେ ଜାଣିବା ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଭାପତି ବିବେକାନନ୍ଦ ପଟେଲ ବରିଷ୍ଠ ସାମ୍ୱାଦିକ ମନରଂଜନ ଯୋଷୀଙ୍କ ସହିତ ଯୋଗାଯୋଗ କରିଥିଲେ । ସେ ସଂଗେ ସଂଗେ ଏନେଇ ବୁର୍ଲା ଭୀମସାରର ଆସୋସିଏଟ ପ୍ରଫେସର ଡାକ୍ତର ବେଣୁଧର ପାଣ୍ଡେଙ୍କ ସହିତ ଯୋଗାଯୋଗ କଲେ । ଡାକ୍ତର ପାଣ୍ଡେ ସଂଗେ ସଂଗେ ଶିଶୁଟିର ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ଘରୋଇ ହସପିଟାଲରେ ସବୁ ପ୍ରକାର ବ୍ୟବସ୍ଥା କରାଇଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ନାଁକରା ସର୍ଜରୀ ସ୍ପେସିଆଲିଷ୍ଟ ଡାକ୍ତର ଭଂଜନ ମେହେର ମାଗଣାରେ ଅସ୍ତ୍ରୋପଚାର କରିବା ପାଇଁ ଅଗେଇ ଆସିଥିଲେ । ତା ସହିତ ନିଶା ଡାକ୍ତର ମନମୋହନ ବାଗ ମଧ୍ୟ ମାଗଣାରେ ଚିକିତ୍ସା ଆରମ୍ଭ କରିଥିଲେ । ବିନା ଖର୍ଚ୍ଚରେ ଅସ୍ତ୍ରୋପଚାର ପରେ ଏବେ ସୁସ୍ଥ ଅଛି ଅଢେଇ ବର୍ଷର ପୁଅ । କିଛି ବଦାନ୍ୟ ବ୍ୟକ୍ତି ଶ୍ରମିକ ସିଲୁ ଭୋଇଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିବା କୁହାଯାଉଛି ।

ଡାକ୍ତରଙ୍କ ସହଯୋଗ ଓ ଚିକିତ୍ସା ପାଇଁ ଆଜି ଜଣେ ନିରୀହ ଶିଶୁର ଜୀବନ ବଞ୍ଚିଯାଇଥିବା ବେଳେ ସାଧାରଣରେ କୁହାଯାଉଛି ‘ସାବାସ୍‌ ଡାକ୍ତର ସାବାସ୍‌’ ।

Leave A Reply

Your email address will not be published.

two × one =