ରାଉରକେଲା ପୋଲିସ୍‌ ପ୍ରଶାସନ ତରଫରୁ ଶହୀଦ ଦିବସ ପାଳନ : ବଳିଦାନ ଦେଇଥିବା ଶହୀଦମାନେ ଚିରସ୍ମରଣୀୟ ଓ ପ୍ରେରଣାର ଉତ୍ସ – ପଶ୍ଚିମାଞ୍ଚଳ ଡିଆଇଜି ସୁଶ୍ରୀ କବିତା ଜଲାନ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ପୋଲିସ୍‌ ପ୍ରଶାସନ ତରଫରୁ ଆଜି ୬୧ତମ ଶହୀଦ ଦିବସ ସ୍ଥାନୀୟ ରିଜର୍ଭ ପୋଲିସ୍‌ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ସୁଶ୍ରୀ କବିତା ଜଲାନ ଯୋଗଦାନ କରି ଶହୀଦ ଦିବସ ଅବସରରେ ଦେଶ ଓ ସମାଜ ପାଇଁ ଜୀବନ ବଳିଦାନ ଦେଇଥିବା ଶହୀଦମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ପରେ ଆୟୋଜିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି ଶହୀଦମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଯେଉଁମାନେ ଦେଶ ଓ ସମାଜ ପାଇଁ ନିଜର ଜୀବନକୁ ବାଜି ଲଗାଇ ଜୀବନ ବଳିଦାନ ଦେଇଛନ୍ତି ସେମାନେ ଆମର ଗର୍ବ ଓ ଗୌରବ । ତାଙ୍କର ଏହି ମହାନ୍‌ ବଳିଦାନ ଆମକୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇ ଦେଉଛି । ସେମାନେ ସବୁବେଳେ ଜନମାନସରେ ଚିରସ୍ମରଣୀୟ ହୋଇ ରହିବେ ।

ଚଳିତ ବର୍ଷ ପୋଲିସ୍‌ ବିଭାଗ ତରଫରୁ ବିଭିନ୍ନ ଘାତ ପ୍ରତିଘାତକୁ ଭ୍ରୁକ୍ଷେପ ନ କରି କରୋନା ମହାମାରୀ ସମୟରେ ଦାୟିତ୍ୱରତ ପୋଲିସ୍‌ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ ତଥା ଅନ୍ୟାନ୍ୟା କର୍ତ୍ତବ୍ୟରତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଜର ଜୀବନକୁ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁନଶ୍ଚ ଶହୀଦ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଏହି ଶହୀଦ ଦିବସ ପାଳନ ଅବସରରେ ରାଉରକେଲା ଆରକ୍ଷୀ ଅଧିକ୍ଷକ କେ.ଶିବା ସୁବ୍ରମଣି, ଆଇପିଏସ୍‌ (ପ୍ରୋବେସନାରୀ) ସ୍ୱାତୀ ଏସ୍‌.କୁମାର, ଏଏସ୍‌ପି ମୋହନପାଣି କାରୁଆ ଓ ରଣଜିତ ଭୋଇ, ଡିଏସ୍‌ପି ଡିଆଇବି ଲମ୍ବୋଦର ବୁଡା, ଡିଏସ୍‌ପି ଜୋନ୍‌-୨ର ଅସୀମ କୁମାର ପଣ୍ଡା, ଡିଏସ୍‌ପି ଜୋନ୍‌-୧ର ଜ୍ୟୋତିର୍ମୟୀ ଭୁକ୍ତା, ପାନପୋଷ ଏସ୍‌ଡିପିଓ ଏସ୍‌.ଏନ୍‌. ସାମଦ, ଡିଏସ୍‌ପି ପି.କେ. ବାର୍ଲା ଓ ସୁନୀଲ ସୋରେନ, ଡିଏସ୍‌ପି (ପ୍ରୋବେସନ) ମୀରା ନାୟକ, ଡେପୁଟି କମାଣ୍ଡାଣ୍ଟ ଜି.ନାୟକ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଏସ୍‌.କେ. ନାୟକ ପ୍ରମୁଖଙ୍କ ସମେତ ପୋଲିସ୍‌ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଆୟୋଜିତ ପ୍ୟାରେଡ୍‌ କାର୍ୟ୍ୟକ୍ରମ ଆର୍‌ଆଇ ଦୀପ୍ତି ଜେନାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ସର୍ଜନ ଏସ୍‌.କେ. ବେହେରା ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ଭାବେ ସହଯୋଗ କରିଥିଲେ । ଶହୀଦ ଦିବସ ପାଳନ ଅବସରରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ମାର୍ଗଦର୍ଶିକା ଅନୁପାଳନପୂର୍ବକ କାର୍ୟ୍ୟକ୍ରମ କରାଯାଇଥିବା ବେଳେ ସରକାରଙ୍କ କୋଭିଡ୍‌ଜନିତ ମାର୍ଗଦର୍ଶିକାକୁ ପାଳନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.