ଦେଓଗାଁ ତହସିଲର ୭ସାର୍କିଲରେ ଅଛନ୍ତି ୨ଜଣ ଆର୍‌ଆଇ : ପ୍ରମାଣ ପତ୍ର ପାଇଁ ହଇରାଣ ହେଉଛନ୍ତି ଅବିଭାବକ ଓ ଛାତ୍ରଛାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅଧିନର ଅଛି ୭ଆରଆଇ ସାର୍କିଲ । ପ୍ରତି ଆରଆଇ ସାର୍କିଲରେ ଜଣେ ଆରଆଇ ଓ ଜଣେ ଅତିରିକ୍ତ ଆରଆଇ ରହିବା କଥା କିନ୍ତୁ ଦେଓଗାଁ ତହସିଲରେ ଅଛନ୍ତି ମାତ୍ର ଜଣେ ଆରଆଇ ଓ ଜଣେ ସୁପରଭାଇଜର/ଆରଆଇ । ସୁପରଭାଇଜର/ଆରଆଇ ଅଧିର ନାୟକଙ୍କ ଅଧିନରେ ୩ଟି ସାର୍କିଲ ଯଥା ଜରାସିଂହା, କୁତୁର୍ଲା ଓ ବଡ଼ବନ୍ଧ ରହିଛି । ଜରାସିଂହା ସାର୍କିଲରେ ୧୫ଟି ଗାଁ ଥିବା ବେଳେ କୁତୁର୍ଲା ଓ ବଡ଼ବନ୍ଧରେ ୧୪ଖଣ୍ଡ ଲେଖାଏଁ ଗାଁ ଅଛି । ସେହିପରି ବନ୍ଧପଡ଼ା ଓ ରାମଚନ୍ଦ୍ରପୁର ସାର୍କିଲ ଦାୟିତ୍ୱରେ ଅଛନ୍ତି ଜଣେ ଏଆରଆଇ । ବନ୍ଧପଡ଼ା ଅଧିନରେ ୧୪ଟି ଗାଁ ଥିବା ବେଳେ ରାମଚନ୍ଦ୍ରପୁର ଅଧିନରେ ଅଛି ୨୩ଟି ଗାଁ । ସେହିପରି ଅର୍ଜୁନପୁର ଆରଆଇ ମିନତୀ ବାଗଙ୍କୁ ମହଲାଇ ଆରଆଇ ସାର୍କିଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅର୍ଜୁନପୁର ଓ ମହଲାଇ ଅଧିନର ଅଛି ୪୬ଖଣ୍ଡ ଗାଁ । ବର୍ତ୍ତମାନ ଅଭିଯୋଗ ହେଉଛି ଯେ, ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ବାସସ୍ଥାନ, ଜାତିଗତ, ଆୟ ପ୍ରମାଣ ପତ୍ର ଆବଶ୍ୟକତା ପଡ଼ୁଛି, ଯଦିଓ ଅନଲାଇନରେ ଆବେଦନ କରାଯାଉଛି ତାକୁ ତଦନ୍ତ କରି ଗାଁ ଗାଁ ବୁଲି ରିପୋର୍ଟ ଦେବା ପରେ ପ୍ରମାଣ ପତ୍ର ତିଆରି ହେଉଛି । ଠିକ୍‌ ଏପରି ସମୟରେ ରାଜସ୍ୱ ବିଭାଗର ଅନ୍ୟାନ୍ୟ କମ ମଧ୍ୟ ପଡ଼ି ରହିଛି ଯଥା ଡିମାରକେସନ, ପାର୍ଟିସନ ସହ ବେଆଇନ ଭାବେ ବାଳି ପଥର, ମୁରୁମ ଚୋରି ହେଉଥିବାରୁ ତାହାକୁ ଧର ପଗଡ଼ କରି ରାଜସ୍ୱ ଆଦାୟ କରିବା ମଧ୍ୟ ଆବଶ୍ୟକତା ପଡ଼ୁଛି । ଏପରି ସମୟରେ କର୍ମଚାରୀ କମ ଓ କାମ ଅଧିକ ଯୋଗୁଁ ସାଧାରଣ‌ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି । ତେଣୁ ଗୋଟିଏ ସାର୍କିଲରେ ଜଣେ ଆରଆଇ ସହ ସୁପରଭାଇଜର ନିଯୁକ୍ତି କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.