pakka

ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳପଥ ପ୍ରସଙ୍ଗ : ଲୋଭନୀୟ ବଜେଟ ଘୋଷଣା ମାତ୍ର ନିରାଶାଜନକ ଖର୍ଚ୍ଚ

bbehera
  • ଲୋକଙ୍କୁ ଭୂଆଁ ବୁଲାଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର
  • ନର୍ଲାର ୱାର୍କଶପ ପାଇଁ ଘୋଷିତ ୨ କୋଟି ଟଙ୍କାରୁ ଖର୍ଚ୍ଚ ହୋଇଛି ମାତ୍ର ୩୧ ହଜାର ଟଙ୍କା
  • ପଶ୍ଚିମ ଓଡିଶା ପ୍ରତି ରେଳ ବିଭାଗର ଅବହେଳା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ- ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳପଥକୁ ସମ୍ପୂର୍ଣ୍ଣ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରାଯାଉଛି ବୋଲି ବିିଭିନ୍ନ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଓ କେନ୍ଦ୍ରୀୟ ଶାସକ ଦଳର ନେତାମାନେ ଲୋଭନୀୟ କଥା କହି ରାଜ୍ୟର ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରି ଆସୁଛନ୍ତି କିନ୍ତୁ ରେଳପଥ ନିର୍ମାଣ କାର୍ଯ୍ୟର ଗତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି ବଲାଙ୍ଗିରର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବିଳମ୍ବ ଜନିତ ସମସ୍ୟା ଏହି ପ୍ରକଳ୍ପର ପିଛା ଛାଡୁ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟର ବହୁ ପ୍ରତିକ୍ଷୀତ ଏହି ରେଳପଥ ନିର୍ମାଣ କାର୍ଯ୍ୟର ଧିମା ଗତିକୁ ଦେଖିଲେ ଓଡିଶାକୁ ରେଳ ମନ୍ତ୍ରୀ ମିଳିଛି ବୋଲି ରାଜ୍ୟବାସୀ ଯେତିକି ଖୁସି ହେଉଥିଲେ ବର୍ତ୍ତମାନ ସେତିକି ନିରାଶ ହୋଇଛନ୍ତି ବୋଲି ପଣ୍ଡା କହିଛନ୍ତି । ଜାତୀୟ ସ୍ତରରେ ବିଭିନ୍ନ ପଦପଦବୀ ରାଜ୍ୟକୁ ଗର୍ବିତ କରିଛି, ଏହା ନିଃସନ୍ଦେହ ମାତ୍ର ଏହା ଦ୍ୱାରା ଯଦି ରାଜ୍ୟବାସୀ ଉପକୃତ ହେବେ ନାହିଁ ତାହେଲେ ଏହି ପଦପଦବୀ ମୂଲ୍ୟହୀନ ବୋଲି ପଣ୍ଡା କହିଛନ୍ତି । ରେଳମନ୍ତ୍ରୀଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଉପଯୋଗ୍ୟ ବୋଲି ସେ କହିଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଗତ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ୧୦୫୦ କୋଟି ଓ ୨୦୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । କିନ୍ତୁ ସୂଚନା ଅଧିକାର ଆଇନ ଯୋଗେ ରେଳ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ୨୧-୨୨ ବର୍ଷରେ ମାତ୍ର ୨୯୫ କୋଟି ୪୨ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୨-୨୩ ତଥା ଚଳିତ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମାତ୍ର ୪୯ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା । ପୁନଶ୍ଚ ତଥ୍ୟରୁ ଜଣାପଡିଛି ଯେ, କେବଳ ଏହି ଦୁଇଟି ଉପରୋକ୍ତ ଆର୍ଥିକ ବର୍ଷ ତଥା ୨୧-୨୨ ଓ ୨୨-୨୩ ବଜେଟରେ ଘୋଷଣା କରାଯାଇଥିବା ସମୁଦାୟ ୧୯୪୧ କୋଟିର ଲୋଭନୀୟ ଅର୍ଥରାଶି ବିଗତ ୨୦ ବର୍ଷରେ ତଥା ଦୁଇ ଦଶନ୍ଧି ମଧ୍ୟରେ ଖର୍ଚ୍ଚ କରାଯାଇ ନାହିଁ । ଅର୍ଥାତ୍‌ ଗତ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୨-୨୩ ବର୍ଷର ଜୁଲାଇ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ମାତ୍ର ୧୬୭୩ କୋଟି ୯୭ ଲକ୍ଷ ଟଙ୍କା । ଏହି ତଥ୍ୟକୁ ଅନୁଶୀଳନ କଲେ ଜଣାପଡୁଛି ଯେ, ଲୋଭନୀୟ ବଜେଟ ବ୍ୟୟ ଅଟକଳ ଘୋଷଣା ଗୁଡିକ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ କରାଯାଉଛି । ଠିକ ସେହିପରି ରାଜ୍ୟ ସରକାର ଗତ ୧୬-୧୭ରୁ ଆଜି ପର୍ଯ୍ୟନ୍ତ ୭ ବର୍ଷରେ ଏହି ରେଳପଥ ପାଇଁ ମାତ୍ର ୩୦୩ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଜମି ଅଧିଗ୍ରହଣକୁ ନେଇ ମଧ୍ୟ ସମଦଶା ବୋଲି ଜଣାପଡିଛି । ଏହି ରେଳପଥ ପାଇଁ ତିନି କିସମର ଜମି ଯଥା- ସରକାରୀ, ବେସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଉଛି । ରେଳପଥ ମଞ୍ଜୁରୀ ପାଇବା ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ତିନି କିସମ ଜମିକୁ ଆଜି ପର୍ଯ୍ୟନ୍ତ ଶହେ ପ୍ରତିଶତ ଅଧିଗ୍ରହଣ କରାଯାଇ ନାହିଁ । ଅଧିଗ୍ରହଣ ହେବାକୁ ଥିବା ସରକାରୀ ଜମି ୧୨୮୪.୭୭ ଏକରରୁ ୨୭୩.୧୫ ଏକର, ବେସରକାରୀ ଜମି ୪୯୦୬.୬୯ ଏକରରୁ ୯୭.୨୨ ଏକର ବର୍ତ୍ତମାନ ପର୍ଯ୍ୟନ୍ତ ଅଧିଗ୍ରହଣ କରାଯାଇ ନଥିବା ବେଳେ ଆବଶ୍ୟକତା ଥିବା ୧୮୪୪.୪୦ ଏକର ଜଙ୍ଗଲ ଜମିରୁ ୧୬୭୪.୩୭ ଏକର ଜମିକୁ ଷ୍ଟେଜ ୨ ଅନୁମତି ମିଳିନାହିଁ । ମାତ୍ର ୧୭୦.୦୩ ଏକର ଜଙ୍ଗଲ ଜମିକୁ ଷ୍ଟେଜ ୨ ଅନୁମତି ମିଳିଥିବା ବେଳେ ୨୦୫.୦୪ ଏକର ଜମିକୁ ଷ୍ଟେଜ ୧ ଅନୁମତି ମିଳିଛି । ବିଛୁପାଲିରୁ ପରବର୍ତ୍ତୀ ଷ୍ଟପେଜ ଝାରତରଭାକୁ ଆସନ୍ତା ଅକ୍ଟୋବରରେ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ କରିବ ବୋଲି ତଥ୍ୟରେ କୁହାଯାଇଛି । ବିଛୁପାଲିରୁ ଝାରତରଭାର ଦୂରତା ମାତ୍ର ୧୦ କିମି ଅଟେ । ଏହା ୨୦୨୧ ମସିହାରେ କାର୍ଯ୍ୟକ୍ଷମ ହେବ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳକୁ ୨୦୧୯ ଜାନୁୟାରୀ ୧୫ ଦିନ ଲୋକାର୍ପଣ କରି ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ, ହେଲେ ମାତ୍ର ୧୦ କିମି ଦୂରତା ମଧ୍ୟ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେଲା ନାହିଁ । ପ୍ରକଳ୍ପର ସମୁଦାୟ ଖର୍ଚ୍ଚ ଅଟକଳ ୩୭୯୧ କୋଟି ୬୬ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେଳପଥରେ ଖର୍ଚ୍ଚ ହୋଇଛି ୧୬୭୩ କୋଟି ୯୭ ଲକ୍ଷ ଟଙ୍କା ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି । ଦୀର୍ଘ ୩୦ ବର୍ଷ ପରେ ଖର୍ଚ୍ଚ ଅଟକଳର ଅଧେ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇ ପାରି ନାହିଁ ବୋଲି ପଣ୍ଡା କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଅଣ୍ଟା ଭିଡି ଥିଲେ ମଧ୍ୟ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ପଣ୍ଡା କହିଛନ୍ତି । ଏପରିକି ରାଜ୍ୟକୁ ରେଳ ବିଭାଗ ମିଳିଥିଲେ ମଧ୍ୟ ଫଳାଫଳ ଶୂନ ବୋଲି ସେ କହିଛନ୍ତି । ସବୁୁଠୁ ଆଶ୍ଚର୍ଯ୍ୟ କଥା ଯେ, କଳାହାଣ୍ଡି ଜିଲ୍ଲାର ନର୍ଲାରେ ପ୍ରସ୍ତାବିତ ଲୋଗୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନା ପାଇଁ ଗତ ବଜେଟରେ ୨ କୋଟି ଟଙ୍କା ଘୋଷଣା କରାଯାଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ପଶ୍ଚିମ ଓଡିଶା ପ୍ରତି ରେଳ ବିଭାଗର ଚରମ ଉଦାସୀନତା ଓ ଅଭ୍ୟାସଗତ ଅବହେଳା ଆଜିବି ବଳବତ୍ତର ରହିଛି ବୋଲି ସୂଚନା କର୍ମୀ ପଣ୍ଡା କହିବା ସଙ୍ଗେ ଏହି ଅବହେଳା ଉଦ୍ଦେଶ୍ୟମୂଳକ ବୋଲି ଅଭିଯୋଗ କରିଛନ୍ତି ।

jay balangir
Leave A Reply

Your email address will not be published.

twelve + ten =

error: Content is protected !!