csstore

ଦୁଇ ଲକ୍ଷ ଲେଖାଏଁ ବୀମା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଆଜି ଏକ ବୀମା ରାଶି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧିନରେ ଦୁଇଟି ପରିବାରକୁ ଦୁଇଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସମାରୋହରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ବଲାଙ୍ଗିରର ଆର୍ଥିକ ସାକ୍ଷରତା ପରାମର୍ଶଦାତା ଓମ୍ ପ୍ରକାଶ ମୁଣ୍ଡ ଏବଂ କ୍ଷେତ୍ର ଅଧିକାରିଣୀ ଶ୍ରୀମତୀ ପାଉଲିନ ଗୁପ୍ତା ଉପସ୍ଥିତ ରହି ରେଙ୍ଗାଲି ଗ୍ରାମର ପଞ୍ଚାନନ ବଗର୍ତ୍ତୀ ଏବଂ କପିଲବାହାଲ ଗ୍ରାମର କାନ୍ତି ଛତ୍ରିଆ ଉଭୟଙ୍କୁ ଦୁଇ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଚେକ୍ ପ୍ରଦାନ କରିଥିଲେ । ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦୟ ସିଂହ ଠାକୁର ସଭାପତିତ୍ଵ କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ପରିଚାଳକ ହୃଷୀକେଶ ସାହୁ ପରିଚାଳନା କରିଥିଲେ । ରେଙ୍ଗାଲି ପଞ୍ଚାୟତର ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡ଼ି କର୍ମୀଙ୍କ ଗହଣରେ ଶ୍ରୀ ମୁଣ୍ଡ ତଥା ଅନ୍ୟମାନେ ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଆଲୋକପାତ କରିବା ସହିତ ସମସ୍ତେ ବୀମା ଯୋଜନା ଗୁଡିକରେ ସାମିଲ ହେବା ପାଇଁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଓସ୍କ ବ୍ୟାଙ୍କ ଅଧିକାରୀ ଡିଲେଶ୍ୱର ସାହୁ, ସୁନିଲ ପାତ୍ର, ଉମେଶ ଗଡ଼ତ୍ୟା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.