
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରତିବଦ୍ଧତା ରଖି ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ର ମହିଳା ସଂଗଠନ ‘ଦି ପିଙ୍କ୍’ ପକ୍ଷରୁ ଆସନ୍ତା ଜୁନ୍ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରଜ ମହୋତ୍ସବ ଜଗଦା କମ୍ୟୁନିଟି ସେଣ୍ଟର୍ ପଡିଆଠାରେ ପାଳନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ‘ଦି ପିଙ୍କ୍’ର ସଭାନେତ୍ରୀ ବବିତା ମହାନ୍ତି ଏ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆରଏସଏର ସଂପାଦକ ମିହିର ରାୟ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କହିଲେ ଯେ, ଏହି ପରିପ୍ରେକ୍ଷୀରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀକୁ ଗୃପ ୧, ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀକୁ ଗୃପ ୨ ଓ ଏକାଦଶ ଶ୍ରେଣୀରୁ ଅଧିକ ଗୃପ ୩ରେ ବିଭକ୍ତ କରାଯାଇ ପ୍ରତିଯୋଗୀମାନେ ରଜ ସଜବାଜ, ଓଡିଆ ପିଠା, ରଜ ପାନଭଙ୍ଗା, ଲୁଡୁ ଖେଳ ସହ ରଜ ପରୀ ପ୍ରତିଯୋଗିତାରେ ଭାଗ ନେବେ । ସେହିପରି ପୁଅମାନଙ୍କ ପାଇଁ ବାଗୁଡି ଖେଳ ପ୍ରତିଯୋଗିତା ହେବ । ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଅଭିନେତ୍ରୀ ସୂର୍ଯ୍ୟମୟୀ, ଗାୟକ ତାନସେନ ସିଂ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେବାକୁ ଥିବା ବେଳେ ପୁରୁଣା ଅପାସୋରା ଓଡିଆ ଗୀତ ପରିବେଷଣ କରାଯିବ । ଏହା ସହ ନୃତ୍ୟ ଓ ସଂଗୀତର ମନୋରଞ୍ଜନ କାର୍ଯ୍ୟକ୍ରମ ସହ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟପେୟ ଷ୍ଟଲ ରହିବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପଦେଷ୍ଟା ଡା. ଗୀତାଞ୍ଜଳି ପତ୍ରୀ, ଉପସଭାପତି ଅଜିତା ମହାନ୍ତି, ମୌସୁମୀ ମହାନ୍ତି, ସଂପାଦକ ମମତାଞ୍ଜଳି ଦାସ ଅନୁରୋଧ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଗତିକା ପଟ୍ଟନାୟକ, ସୁସ୍ମିତା ଦାସ, ସାଗରିକା ସାହାଣୀ, ଉମା ପାତ୍ର, ସ୍ନେହାଞ୍ଜଳି ଜେନା, ସ୍ୱର୍ଣ୍ଣ ପ୍ରଭା ଦଣ୍ଡପାଟ, ସୋନି ପିଲାଇ, ପ୍ରଭାସିନୀ ନାୟକ, ପ୍ରଜ୍ଞା ପରମିତା ଦାସ, ସୁଲୋଚନା ମହାନ୍ତି, ସୁଷମା କରାଡେ, ଜୁଲି ଶତପଥୀ, ଜ୍ୟୋସ୍ନାରାଣୀ ପରିଡା, ରଶ୍ମିତା ବିଶ୍ୱାଳ, ସୁଜାତା ଦାସ, ସସ୍ମିତା ଦାସ, ନିତୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆରଏସଏର ଭାସ୍କର ନନ୍ଦ, ଧନଞ୍ଜୟ ଦଣ୍ଡପାଟ, ସୁବାସ ପଣ୍ଡା, ମନୋଜ ରାଉତ, ନରେନ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୋବାଇଲ ନଂ ୯୪୩୭୭୫୮୩୯୪ କିମ୍ବା ୭୦୦୮୨୬୪୨୫୫ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।