pakka

ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଅଂଚଳର ଜନସାଧାରଣଙ୍କ ସୂଚନା ନିମନ୍ତେ ମାର୍ଗ ଦର୍ଶିକା ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ, ୨୦୧୩ ତଥା ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ବିଭିନ୍ନ ଉପାଦେୟ ସୂଚନା ସମ୍ବଳିତ ଏକ ମାର୍ଗ ଦର୍ଶିକା ପୁସ୍ତିକା ଆଜି ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ମାର୍ଗ ଦର୍ଶିକା ପୁସ୍ତକ ଉନ୍ମୋଚନ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା କାର୍ୟ୍ୟାଳୟର ଭୂ-ଅର୍ଜନ ଅଧିକାରୀ ଫାଲ୍‌ଗୁନୀ ଶବର ପ୍ରମୁଖ ଉପସ୍ଥିତ ଥିଲେ । ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ କାର୍ୟ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ମାର୍ଗ ଦର୍ଶିକା ପୁସ୍ତିକା ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ବଂଟନ କରାଯିବ । ପ୍ରକଳ୍ପ ପ୍ରଭାବିତ ଅଂଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପରୋକ୍ତ ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇବା, ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଥଇଥାନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସଂଗେ ସଂଗେ ପ୍ରଭାବିତ ପରିବାରଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ମାର୍ଗ ଦର୍ଶିକା ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି ମାର୍ଗ ଦର୍ଶିକା ପୁସ୍ତକ ମାଧ୍ୟମରେ ପ୍ରକଳ୍ପ ପ୍ରଭାବିତ ଅଂଚଳର ଜନସାଧାରଣ ସେମାନଙ୍କ ମଧ୍ୟରେ ଥିବା ସଂଦେହ ଦୂର କରିପାରିବେ ଏବଂ ଏହା ସେମାନଙ୍କ ପାଇଁ ଉପାଦେୟ ତଥା ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

fourteen − seven =