- ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ
- ମହାପ୍ରଭୁଙ୍କ ନିକଟରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ
- ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କଲେ
ଭୁବନେଶ୍ଵର : ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି । ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଇଥିଲେ । ଭକ୍ତମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ଉନ୍ନତି ଓ ମଙ୍ଗଳ କାମନା କରିଥିଲେ । ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଥଲେ । ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ଶ୍ରୀ ମନ୍ଦିରର ସୁରକ୍ଷା, ମହାପ୍ରଭୁଙ୍କ ଯାନିଯାତ୍ରା ଓ ଭକ୍ତମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା । ମନ୍ଦିର ଚତୁଃପାର୍ଶ୍ଵରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହେବା ସହିତ ପିଢ଼ି ପରେ ପିଢ଼ି ଭକ୍ତମାନଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରିବ । ସୁନ୍ଦର ସବୁଜ ପରିବେଶ, khandalites ପଥରର ଆକର୍ଷଣୀୟ କାରିଗରୀ କାମ ସହିତ ଭକ୍ତମାନଙ୍କ ପାଇଁ କ୍ଲୋକ୍ ରୁମ୍, ସୂଚନା କେନ୍ଦ୍ର, ଆମ୍ପି ଥିଏଟର ଆଦି ଅନେକ ସୁବିଧା କରାଯାଇଛି ।