ଜିଲ୍ଳାସ୍ତରରେ ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରସ୍କାର ସହ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଦ୍ଵାରା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁକୁଲ୍ୟରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବା ସମ୍ମାନ ୨୦୨୩-୨୪ ସମ୍ମାନରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ ଓ କମିଶନର ଭବାନୀ ଶଙ୍କର ମିଶ୍ର ମାନପତ୍ର ଓ ଟ୍ରଫି ପ୍ରଦାନ କରିଛନ୍ତି । ତତ୍‌ ସହିତ ବ୍ରହ୍ମପୁର ଏମ୍‌.ପି. ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଦକ୍ଷତା ସମ୍ପନ୍ନ ଆଶାକର୍ମୀମାନଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ । ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ଏ.ପି.ଏମ୍‌. ଫଣିଭୂଷଣ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଛତ୍ରପୁର ଅଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ତରରେ ପହଞ୍ଚାଇ ଜନସଚେତନତା କରିବା ସହ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର, ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାମାନ ଆୟୋଜନ କରି ସେବା ଯୋଗାଇ ଆସୁଛନ୍ତି । ଏହି ଉତ୍ସବରେ ସହରାଞ୍ଚଳର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମଧୁସୂଦନ ପଣ୍ଡା ଓ ଫାର୍ମାସିଷ୍ଟ ସତ୍ୟରଞ୍ଜନ ବେହେରା ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ ଏବଂ ଏହି ସହରାଞ୍ଚଳ ଆରୋଗ୍ୟ କେନ୍ଦ୍ର ସହ ସଂଶ୍ଳିଷ୍ଟ ଥିବା ଆଶାକର୍ମୀ ପ୍ରମିଳା ତରାଇ, ସନ୍ଧ୍ୟାରାଣୀ ନାୟକ, ନିରୁପମା ପାଣିଗ୍ରାହୀ ତଥା ମହିଳା ଆରୋଗ୍ୟ ସମିତିକୁ ମଧ୍ୟ ଉତ୍ତମ ସେବା ଓ କାର୍ଯ୍ୟକ୍ଷେତ୍ରରେ ସୁସମ୍ପାଦନା ଓ ପରିଚାଳନା ନିମନ୍ତେ ମାନପତ୍ର ସହ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଛି ।

Leave A Reply

Your email address will not be published.

11 − four =