ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଟାଇମ୍‌ପାସ୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର

ଭବାନୀପାଟଣା, (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ଟାଇମ୍‌ପାସ୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର ପାଇଁ କଳାହାଣ୍ଡିର ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଗଳ୍ପ ସଂକଳନ ‘ଖଂଗାର୍‌’ ଯୋଗ୍ୟ ବିବେଚିତ ହୋଇଛି । ନର୍ଲା ବ୍ଲକ୍‌ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀରଙ୍କ ଉକ୍ତ ପୁସ୍ତକ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୦ ସଂକ୍ଷିପ୍ତ ସୂଚୀରେ ସାମିଲ ହୋଇଥିଲା । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ଶ୍ରୀ ଧଙ୍ଗଡ଼ାମାଝୀ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରସାରିତ ଯୁବବାଣୀର ଉପସ୍ଥାପକ ଭାବେ ସେ ଶ୍ରୋତା ମହଲରେ ଲୋକପ୍ରିୟ ଥିବା ବେଳେ ଆକାଶବାଣୀର ଗ୍ରେଡ୍‌-ବି ନାଟକ କଳାକାର ଭାବେ ସ୍ୱୀକୃତ । ଏଥିସହ ସେ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ଦେଶର ବିଭିନ୍ନ ସ୍ଥାନରେ ମଞ୍ଚ ନାଟକରେ ଅଭିନୟ କରିଛନ୍ତି । ନୀଲା ଫିଲ୍ମସ୍‌ ପକ୍ଷରୁ ନିର୍ମିତ ଚଳଚ୍ଚିତ୍ର ‘ଏ ରେଡ୍‌ ସାର୍ଟ୍‌’ରେ ସେ ବଲିଉଡ୍‌ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି । ସଂପ୍ରତି ଶିକ୍ଷା ବିଭାଗରେ ସିଆର୍‌ସିସି ଭାବେ ଅବସ୍ଥାପିତ ସୁଧୀର ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, ଗ୍ଲୋବାଲ୍‌ ଲାଇଫ୍‌ରେଚର୍‌ ଫାଉଣ୍ଡେସନ୍‌ର ଆବାହକ, କଳାହାଣ୍ଡି ଯୁବ ଲେଖକ ସମାବେଶର ସାଧାରଣ ସଂପାଦକ, ‘ସାହିତ୍ୟ କଥା’ର ସହ-ସଂପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ସମ୍ବାଦପତ୍ର ‘ମସୀହା’ର ବାର୍ତ୍ତା ସଂପାଦକ ଓ ସାହିତ୍ୟ ପତ୍ରିକା ‘ମହୁରି’ର ସହ-ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି । ସାରସ୍ୱତ ସାଧନା ପାଇଁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ମୁଲାକାତ୍‌ ଏବଂ ୱାର୍ଲ୍ଡ ଏସୋସିଏସନ୍‌ ଫର୍‌ ଆର୍ଟ୍‌ ଏଣ୍ଡ୍‌ କଲ୍‌ଚର୍‌ ଆୟୋଜିତ ୩୯ତମ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇସାରିଛନ୍ତି । ଆସନ୍ତା ୧୯ ତାରିଖ ଦିନ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ‘ଉତ୍‌ସାହିତ୍ୟ’ ସମାରୋହରେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ଟାଇମ୍‌ପାସ୍‌ର ନିର୍ଦ୍ଦେଶକ ସରୋଜ ବଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 × five =