- ୨୧କେଜି ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ
ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସକାଳେ ତୁଷୁରା ପଟରୁ ତୁଷୁରା ଛକ ଦେଇ ରେଳଷ୍ଟେସନ ଦିଗକୁ ଯାଉଥିବା ଏକ ଟିଭିଏସ୍ ସ୍କୁଟିରେ ଗଞ୍ଜେଇ ଯାଉଥିବା ନେଇ ଦେଓଗାଁ ଆଇଆଇସି ଖବର ପାଇବା ପରେ ସେଠାକୁ ପହଞ୍ଚି ସିମେଣ୍ଟ ରଙ୍ଗର ଏକ ଟିଭିଏସ୍ ସ୍କୁଟି (ସିଜି୦୪ପିଏନ୍ ୩୯୭୧) ଗାଡ଼ି ତୁଷୁରା ପାର୍ଶ୍ୱରୁ ଆସୁଥିବା ଦେଖି ସନ୍ଦେହ କରି ଅଟକ ରଖିଥିଲେ । ଏହି ସ୍କୁଟି ଚାଳକ ତୁଷୁରା ଛକ ଦେଇ ଦେଓଗାଁ ରେଳଷ୍ଟେସନ ଆଡ଼କୁ ଗଞ୍ଜେଇ ଚୋର ଚାଲାଣ କରୁଥିବା ସୂଚନା ପାଇବା ପରେ ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶରେ ଦେଓଗାଁ ଅତିରିକ୍ତ ତହସିଲଦାର ସୋମକେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାଇକେନସିରା ଗାଁ ରାସ୍ତାରେ ଘେରାଉ କରି ସଂପୃକ୍ତ ବ୍ୟକ୍ତି ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ଭଜପୁର ଗାଁର ଭୋଦେବ ଭୋଇ (୨୫)କୁ ଗିରଫ କରିଥିଲେ । ସେହି ବ୍ୟକ୍ତି ନିକଟରୁ ୨୧କିଲୋ ୯୧୦ଗ୍ରାମ ଗଞ୍ଜେଇ ସହ ଟିଭିଏସ ସ୍କୁଟି ଏବଂ ଗୋଟିଏ ପୋକୋ ମୋବାଇଲ ଫୋନ ଜବତ କରିଥିବା ନେଇ ଦେଓଗାଁ ପୋଲିସ ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି । ଏନେଇ ଦେଓଗାଁ ଥାନାରେ କେସ ନଂ ୫୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଗିରଫ ମାମଲାରେ ଆଇଆଇସି ବୁଲୁ ମୁଣ୍ଡା, ଏଏସ୍ଆଇ ମନୋଜ ମିଶ୍ରଙ୍କ ସହ ସହକାରୀ ବାସୁଦେବ ବେହେରା, ଯୁଗଳ ବଗର୍ତ୍ତି, ନିତ୍ୟାନନ୍ଦ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହିଥିଲେ ।