ପ୍ରେମ ବିବାହର ସୁଖ ରହିଲାନି : ଏକାଠି ଗଛରେ ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ, ଏବେ ବର୍ଷକର ପୁଅ ବେସାହାରା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଝୁଲନ୍ତା ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁରେକେଲା ଥାନା ଗଡ଼ିଆଜୋର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଶାଗୁଆନ ଗଛରେ ସ୍ୱାମୀ-ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଥିଲେ । ମୃତ ସ୍ୱାମୀ-ସ୍ତ୍ରୀ ହେଲେ ଗଡ଼ିଆଜୋର ଗାଁ ଗ୍ରାମରକ୍ଷୀଙ୍କ ପୁଅ ନୀଳକଣ୍ଠ କଟା ଏବଂ ଶାନ୍ତି କଟା । ମିଳିଥିବା ସୂଚନା ଅନୁସାରେ ଗତକାଲି ଭାଲୁମୁଣ୍ଡା ଗାଁ ବ୍ୟାଙ୍କରେ କାମ ଅଛି କହି ସ୍ୱାମୀ-ସ୍ତ୍ରୀ ବାହାରିଥିଲେ । ହେଲେ ସେମାନେ ଆଉ ଫେରିନଥିଲେ । ପରିବାର ଲୋକେ ଦୁହିଁଙ୍କୁ ଖୋଜାଖୋଜି କରିବା ପରେ ବି ସେମାନଙ୍କ ସନ୍ଧାନ ପାଇନଥିଲେ । ବୁଧବାର ଚାଷ ଜମିରେ ଥିବା ଶାଗୁଆନ ଗଛରେ ଦମ୍ପତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ତେବେ ଗତ ୩ ବର୍ଷ ହେବ ନୀଳକଣ୍ଠ ଶାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଏକ ବର୍ଷର ପୁତ୍ର ସନ୍ତାନ ଅଛି । ଛୋଟ ବଡ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ସ୍ୱାମୀ-ସ୍ତ୍ରୀ ୨ ଜଣ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କାହିଁକି ଦୁହେଁ ଏଭଳି ନିଷ୍ପତ୍ତି ନେଲେ, ତାହା ବର୍ତ୍ତମାନ ପର୍ୟ୍ୟନ୍ତ ଜଣା ପଡିନାହିଁ।

Leave A Reply

Your email address will not be published.